ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା । ତେବେ ତାଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାଓ୍ୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଉପସ୍ଥିତିରେ ଯଶଓ୍ୱନ୍ତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡିଏମକେ ନେତା ଏ ରାଜା, ଏନସିପି ନେତା ଫାରୁକ ଅବଦୁଲା, ମଧ୍ୟ ନାମାଙ୍କନ ପତ୍ର ଦାଖଲ ବେଳେ ଉପସ୍ଥିତ ରହିଥିଲେ । ଯଶଓ୍ୱନ୍ତ ନିଜର ନାମାଙ୍କନ ପତ୍ର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ପିସି ମୁଡିଙ୍କୁ ପ୍ରଦାନ କରିଥିଲେ ।
ଟିଏମସି, କଂଗ୍ରେସର ସମର୍ଥନ
ଯଶୱନ୍ତ ସିହ୍ନାଙ୍କୁ ଟିଏମସି, କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି ପ୍ରମୁଖ ସମର୍ଥନ କରୁଛନ୍ତି। ତାଙ୍କୁ ବିରୋଧୀ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବାରୁ ଯଶୱନ୍ତ ସିହ୍ନା ବିରୋଧୀ ଦଳ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ତାଙ୍କ ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ସଂପର୍କରେ ଏକ ଟିପ୍ପଣୀ ରଖିଥିଲେ, ଯାହା ଚର୍ଚ୍ଚାର ବିଷୟ ହୋଇଛି। ସେ କହିଥିଲେ ଯେ, ପୁଅର ସମର୍ଥନ ନ ପାଇ ମୁଁ କୌଣସି ପ୍ରକାର ଧର୍ମ ସଂକଟରେ ନାହିଁ। ପୁଅ ରାଜଧର୍ମ ପାଳନ କରୁଛି। ମୁଁ ରାଷ୍ଟ୍ର ଧର୍ମ ପାଳନ କରିବି ବୋଲି ସିହ୍ନା କହିଥିଲେ।
ପୁଅ ବିଜେପି ସାଂସଦ
ଯଶୱନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ବିଜେପି ସାଂସଦ ଅଛନ୍ତି। ୮୪ ବର୍ଷୀୟ ଶ୍ରୀ ସିହ୍ନା କହିଛନ୍ତି, ଜୁଲାଇ ୧୮ରେ ହେବାକୁ ଥିବା ନିର୍ବାଚନ ବ୍ୟକ୍ତିଗତ ପ୍ରତିଯୋଗିତାଠାରୁ ଅନେକ କିଛି। ସେହିଭଳି ଏହା ଭାରତର ରାଷ୍ଟ୍ରପତି ନିର୍ବାଚନ ଠାରୁ ମଧ୍ୟ ଅଧିକ। ତେବେ ଯଶୱନ୍ତଙ୍କ ପତ୍ନୀ ଏନ୍ ଡିଏ ଭଲ ପ୍ରାର୍ଥୀ ଦେଇଥିବାରୁ ଯଶୱନ୍ତଙ୍କ ବିଜୟ ଆଶା କ୍ଷୀଣ ବୋଲି କହିଛନ୍ତି ।
