ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରୀ ରହିଥିବା ରାଜନୈତିକ ସଙ୍କଟ ସ୍ଥିତି ମଧ୍ୟରେ ଯୁକ୍ତି ବାଢିଛନ୍ତି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ। ଶିବସେନା ବିଧାୟକ ଦଳ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ‘ମହା ବିକାଶ ଅଘାଡ଼ି’ ସରକାର ସଂଖ୍ୟାଗରିଷ୍ଠତା ହରାଇଛି ବୋଲି ଆଜି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ସୁପ୍ରିମ୍ କୋର୍ଟରେ ଫାଇଲ୍‌ କରିଥିବା ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ଜୁନ୍‌ ୨୧ ତାରିଖ ଦିନ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିର୍‌ୱାଲ୍‌ ପଠାଇଥିବା ଅଯୋଗ୍ୟ ନୋଟିସ୍‌କୁ ଚାଲେଞ୍ଜ୍‌ କରି ସିନ୍ଦେ ଗୋଷ୍ଠୀ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲା। ‘ମହା ବିକାଶ ଅଘାଡ଼ି’ ମେଣ୍ଟ୍‌ ଦଳବଦଳ ନିରୋଧୀ ଆଇନର ଦୁରୁପଯୋଗ କରୁଛି ବୋଲି ସେମାନେ ଆବେଦନରେ ଦର୍ଶାଇଛନ୍ତି।

କିନ୍ତୁ, ସଦ୍ୟତମ ସୂଚନା ଅନୁସାରେ, ଉପରୋକ୍ତ ମାମଲାର ଶୁଣାଣି ହେବା ଆଗରୁ ସିନ୍ଦେ ଗୋଷ୍ଠୀ ସୁପ୍ରିମ୍‌ କ‌ୋର୍ଟରେ ଆଉ ଏକ ଆବେଦନ କରିଛନ୍ତି। ସେଥିରେ ଉଲ୍ଲେଖ ଅଛି ଯେ, ବିଦ୍ରୋହୀ ବିଧାୟକମାନେ ସୈନିକମାନଙ୍କଠାରୁ ସାଂଘାତିକ ଧମକ ମିଳୁଛି।

ବିଦ୍ରୋହୀ ବିଧାୟକମାନଙ୍କ ଓକିଲ କ‌ୌଲ୍‌ କହିଛନ୍ତି ଯେ, ଧମକ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ସେମାନେ ମହାରାଷ୍ଟ୍ରରେ ସେମାନଙ୍କର ଆଇନଗତ ଅଧିକାର ସାବ୍ୟସ୍ତ କରି ପାରୁ ନାହାନ୍ତି।

୩୮ଜଣ ବିଧାୟକଙ୍କୁ ମିଶାଇ ଗଠିତ ସିନ୍ଦେ ଗୋଷ୍ଠୀ ଶନିବାର ଦିନ ତାଙ୍କ ଦଳର ନା ‘ଶିବସେନା ବାଲାସାହେବ’ ରଖିବା ପରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ‘ଶିବସେନା’ ଘୋର ଆପତ୍ତି ଉଠାଇଥି‌ଲା। ସିନ୍ଦେଙ୍କର ଏତାଦୃଶ ପଦକ୍ଷେପ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତରାଧିକାର ସଂଗ୍ରାମର ସୂତ୍ରପାତ କରିଛି।