ଧୋକା ଦେଇଥିବା ବିଦ୍ରୋହୀ ବିଧାୟକଙ୍କ ଠାରୁ ବିଭାଗ ଛଡ଼ାଇନେଲେ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରୀ ରହିଛି ରାଜନୈତିକ ସଙ୍କଟ । ଏହାରି ମଧ୍ୟରେ ଆକ୍ସନ ମୁଡ଼ ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଧୋକା ଦେଇଥିବା ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଧୋକା ଦେଇ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକଙ୍କଠାରୁ ବିଭାଗ ଛଡ଼ାଇନେଇଛନ୍ତି ଠାକରେ।

ଏକନାଥ ସିନ୍ଦେଙ୍କ ସମେତ ଆଠଜଣ ବିଦ୍ରୋହୀ ମନ୍ତ୍ରୀଙ୍କୁ ଦିଆଯାଇଥିବ‌ା ବିଭିନ୍ନ ବିଭାଗର ଦାୟିତ୍ବରୁ ସେମାନଙ୍କୁ ମୁକ୍ତ କରି ଏବେ ଅନ୍ୟ ମନ୍ତ୍ରୀମାନଙ୍କୁ ଏହି ଦାୟିତ୍ବ ଦେଇଛନ୍ତି ଠାକରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ଆଣି ଏହାକୁ ପୁଣି ଥରେ ଗଢ଼ିଛନ୍ତି, ଯାହାଦ୍ୱାରା ଜନସାଧାରଣଙ୍କ ସମସ୍ୟାକୁ ଅଣଦେଖା କରାଯିବ ନାହିଁ।

ମହାବିକାଶ ଅଗାଡି ସରକାରରେ ଶିବସେନାର ଥିବା ୯ ଜଣ ମନ୍ତ୍ରୀ ବିଦ୍ରୋହୀ ହେବା ପରେ ମାତ୍ର ୩ଜଣ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ଥିଲେ। ସେଥି ମଧ୍ୟରୁ ଜଣେ ତାଙ୍କର ପୁଅ ଆଦିତ୍ୟ ଠାକରେ ଥିବା ବେଳେ ଅନ୍ୟ ଦୁଇ ଜଣ ଥିଲେ ସୁଭାଷ ଦେଶାଇ ଏବଂ ଅନିଲ ପରବ। ତେବେ ୯ଜଣ ମନ୍ତ୍ରୀ ବିଦ୍ରୋହୀ ହେବା ପରେ ସେମାନେ ବୁଝୁଥିବା ବିଭାଗର ଦାୟିତ୍ବ ନେବାକୁ କେହି ନଥିଲେ। ଏହି କାରଣରୁ ଏ‌ବେ ଉଦ୍ଧବ ଠାକରେ ସେମାନଙ୍କୁ ହଟାଇ ଅନ୍ୟ ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦେଇଛନ୍ତି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ରାଜନୈତିକ ସଂକଟକୁ ନେଇ ଶିବସେନାର ବିଦ୍ରୋହୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଉପରେ ଆଜି ଶୁଣାଣି କରାଯାଇଛି। ଏହି ଶୁଣାଣି ସମୟରେ ଆପଣମାନେ ପ୍ରଥମେ ହାଇକୋର୍ଟକୁ କାହିଁକି ଗଲେନାହିଁ ବୋଲି ସୁପ୍ରିମ୍‌ କୋର୍ଟ ପଚାରିବାରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକମାନେ କହିଛନ୍ତି ଯେ, ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ।

ପରେ ମାନ୍ୟବର କୋର୍ଟ ଉଭୟଙ୍କୁ ନୋଟିସ ଜାରି କରିଛନ୍ତି ।

Related Posts