ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ସେପଟେ ବାୟୁସେନା ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅଗ୍ନିବୀର ବାୟୁ’ ସ୍କିମ୍ ପାଇଁ ଏପର‌୍ୟ୍ୟନ୍ତ ୫୬ ହଜାର ୯୬୦ଟି ଆବେଦନ ମିଳିଛି । ଆଗକୁ ଏହି ଆବେଦନ ସଂଖ୍ୟା ବଢିବାର ସମ୍ଭାବନା ରହିଛି । କାରଣ ଏହି ସ୍କିମରେ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୫ ରହିଛି । ଜୁଲାଇ ୫ ଅପରାହ୍ଣ ୫ଟା ସୁଦ୍ଧା ପ୍ରାର୍ଥୀମାନେ ଆବେଦନ କରିପାରିବେ । ଜୁଲାଇ ମାସରେ ହିଁ ଅଗ୍ନିବୀର ଚୟନ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ସଂପର୍କରେ ସୂଚନା ଦିଆଯିବ ।

ଅନ୍ୟପଟେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ସ୍କିମରେ ୧୭.୫ରୁ ୨୧ ବର୍ଷୟ ବୟସର ଭାରତୀୟ ଓ ନେପାଳ ଯୁବକମାନେ ଆବେଦନ କରିପାରିବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ଜୁନ ୧୪ ତାରିଖ ଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ । ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ । ମାତ୍ର ଏହାକୁ ନେଇ ବିହାର, ଉତ୍ତରପ୍ରଦେଶ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଯୁବକମାନେ ପ୍ରବଳ ବିରୋଧ କରିଥିଲେ । ଏହାକୁ ନେଇ ଏବେ ମଧ୍ୟ କେତେକ ସ୍ଥାନରେ ବିକ୍ଷୋଭ ଜାରି ରହିଛି ।