ନୂଆଦିଲ୍ଲୀ :ଆଜି( ମଙ୍ଗଳବାର) ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନ କୁ ଓହ୍ଲାହିବ ଟିମ୍ ଇଣ୍ଡିଆ । ଭାରତୀୟ ଦଳ ପ୍ରଥମ ମ୍ୟାଚ ଜିତି ସାରିଥିବାବେଳେ ବିଜୟ ସହ ସିରିଜ ମୂଳପୋଛ କରିବାକୁ ଭାରତୀୟ ଦଳ ପ୍ରୟାସ କରିବ । ଆୟର୍ଲାଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲେ ହେଁ ଶକ୍ତିଶାଳୀ ଭାରତୀୟ ଦଳର ସମତୁଲ ହୋଇପାରି ନଥିଲା । ତଥାପି ଘରୋଇ ପିଚ୍ ଓ ସମର୍ଥକଙ୍କ ମଧ୍ୟରେ କଡ଼ା ଚ୍ୟାଲେଞ୍ଜ ଦେବାକୁ ଦଳ ପ୍ରୟାସ କରିବ ।
ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ଭାରତୀୟ ଦଳ ପ୍ରଥମ ମ୍ୟାଚ୍ ଜିତି ସାରିଥିବାରୁ ପାଗକୁ ନେଇ ଚିନ୍ତିତ ନୁହେଁ । ବ୍ୟାଟିଂ ବିଭାଗରେ କିଛି ପରିବର୍ତ୍ତନ ଆଶା କରାଯାଉଛି । ଋତୁରାଜ ଗାଏକୱାଡ୍ ଆହତ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ କିମ୍ବା ରାହୁଲ ତ୍ରିପାଠୀଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ବୋଲିଂ ବିଭାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ପୂର୍ଣ୍ଣ ୨୦ ଓଭର ଖେଳ ସମ୍ଭବ ହେଲେ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କ ଅସଲ ଦକ୍ଷତା ନଜରକୁ ଆସିବ ।
ଆୟର୍ଲାଣ୍ଡ ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିଲେ ହେଁ କିଛି ଖେଳାଳି ପ୍ରଭାବିତ କରିଥିଲେ । ବିଶେଷ କରି ୨୨ ବର୍ଷିୟ ହ୍ୟାରୀ ଟେକ୍ଟର ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଦଳ ପାଇଁ ଲଢୁଆ ସ୍କୋର ପ୍ରସ୍ତୁତ କରିଥିଲେ । ମ୍ୟାଚ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଏକ ବ୍ୟାଟ୍ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ । ଟେକ୍ଟରଙ୍କୁ ସହଳ ଆଉଟ କରିବାକୁ ଭାରତୀୟ ବୋଲର ରଣନୀତି ପ୍ରସ୍ତୁତ କରିବେ।