କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ଫେବୃଆରୀ 24 ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ୪ ମାସ ବିତିଯାଇଛି । ହେଲେ ଯୁଦ୍ଧ ଥମିବାରନାଁ ଧରୁନି । ରୁଷର ଆକ୍ରମଣାତ୍ମକ ମନୋଭାବରେ କୌଣସି ପରିବର୍ତ୍ତନ ଆସିନାହିଁ।

ୟୁକ୍ରେନକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଜିଦରେ ଅଟଳ ରହିଛି ରୁଷ। ଅସହାୟ ହୋଇ ବିଶ୍ୱ ସମୁଦାୟର ସହାୟତା ଲୋଡୁଥିବା ୟୁକ୍ରେନ୍ ଉପରେ ପୁଣି ଏକ ବଡ଼ ଧରଣର ଆକ୍ରମଣ କରିଛି ରୁଷୀୟ ସେନା।

ସୋମବାର ପୂର୍ବ-ୟୁକ୍ରେନ୍‌ର ଏକ ଜନଗହଳିପୂର୍ଣ୍ଣ ସପିଂ ମଲ୍‌ ଉପରେ ଭୟଙ୍କର ମିଜାଇଲ୍ ମାଡ଼ ହୋଇଛି। ଏଥିରେ ୧୬ ଜଣଙ୍କ ଜୀବନ ଯାଇଥିବା ବେଳେ, ୪୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

କ୍ରେମ୍‌ଚୁକ୍‌ର ସପିଙ୍ଗ୍ ସେଣ୍ଟରରେ ଯେତେବେଳେ ରୁଷ କ୍ଷେପଣାସ୍ତ୍ର ମାଡ଼ ହେଲା, ସେତେବେଳେ ସେଠାରେ ପ୍ରାୟ ହଜାରେରୁ ଅଧିକ ଲୋକ ଥିଲେ ବୋଲି କହିଛନ୍ତି ନିଜେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି। ମିସାଇଲ ଆକ୍ରମଣର ଏକ ଭୟଙ୍କର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସପିଙ୍ଗ୍ ମଲ୍‌ରେ ବିସ୍ଫୋରଣ ପରେ ସେଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟୁଥିବା ଏବଂ ବିରାଟ ଆକାରରେ କଳା ଧୂଆଁ ଆକାଶକୁ ଆଚ୍ଛାଦିତ କରୁଥିବା ଦେଖିବାକୁ ମିଳୁଛି।

ୟୁକ୍ରେନ୍ ରାଷ୍ଟ୍ରପତିଙ୍କର ଡେପୁଟି ଚିଫ୍‌ ଅଫ୍ ଷ୍ଟାପ୍‌ କିର୍ଲୋ ଟାଇମୋଶେଙ୍କୋ ଟେଲିଗ୍ରାମ ଯୋଗେ କହିଛନ୍ତି ଯେ ସେଠାରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ପୋଲଟାଭା ଗଭର୍ଣ୍ଣର ଦିମିତ୍ରି ଲୁନିନ କଡ଼ା ନିନ୍ଦା କରିଛନ୍ତି। ଏହା ଯୁଦ୍ଧ ଅପରାଧ ଓ ମାନବିକାତ ବିରୋଧ ଅପରାଧ। ସାଧାରଣ ଲୋକଙ୍କ ବିରୋଧରେ ଏହା ଆତଙ୍କବାଦୀଙ୍କ ଆକ୍ରମଣ ବୋଲି ସେ କହିଛନ୍ତି।