କଟକ ଜିଲ୍ଲାପାଳଙ୍କ ନାମରେ ପୁଣି ଏକ ନକଲି ହ୍ବାଟ୍ସଆପ; ସାଇବର୍ ଥାନା ପକ୍ଷରୁ ତଦନ୍ତ ଆରମ୍ଭ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଟକ ଜିଲ୍ଲାପାଳଙ୍କ ନାମରେ ପୁଣି ଏକ ନକଲି ହ୍ବାଟ୍ସଆପ । ରବିବାର ଦିନ ଏଭଳି ଏକ ନକଲି ହ୍ବାଟ୍ସଆପ୍ ୭୬୯୬୯୧୮୧୫୧ ନମ୍ବରରେ ହୋଇଥିବା ଜଣାପଡ଼ିଥିବା ବେଳେ ସୋମବାର ଦିନ ଆଉ ଏକ ଜାଲ୍ ହ୍ବାଟସଆପ୍ ନମ୍ବର ୯୫୨୮୫୪୧୮୨୬ ଜଣାପଡ଼ିଛି। ଏ ସଂପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭବାନୀ ଶଙ୍କର ଚୟନୀ ସାଇବର ଥାନାରେ ପୁଣି ଥରେ ଏତଲା ଦାୟର କରିଛନ୍ତି। ସାଧାରଣ ଲୋକଙ୍କୁ ଠକୁଥିବା ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ କମିଶନର ଓ ଡିସିପିଙ୍କୁ ଫୋନରେ ଜଣାଇଛନ୍ତି। ଏହି ଦୁଇଟି ହ୍ବାଟ୍ସଆପ୍ ନମ୍ବର ମାଧ୍ୟମରେ ପଠାଉଥିବା ବାର୍ତ୍ତାକୁ ବିଶ୍ଵାସକୁ ନନେଇ ଉପରୋକ୍ତ ନମ୍ବର ଦୁଇଟିକୁ ଅବରୋଧ ବା ବ୍ଲକ୍ କରିବାପାଇଁ କଟକ ଜିଲ୍ଲାପାଳ ଶ୍ରୀ ଚୟନୀ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

ଯୋଜନାବଦ୍ଧ ଭାବରେ ଲୋକଙ୍କୁ ଠକି ଟଙ୍କା ଆଦାୟ ପାଇଁ ଏଭଳି ଉଦ୍ୟମ କରାଯାଉଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଭଳି ଆପରାଧିକ କାର୍ୟ୍ୟକଳାପରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ, ଜିଲ୍ଲାପାଳଙ୍କ ନାଁରେ ଦୁଇଟି ନକଲି ହ୍ବାଟସଆପ୍ ଆକାଉଣ୍ଟ ଖୋଲାଯିବା ଘଟଣାରେ କଟକ କମିସନରେଟ୍ ପୁଲିସ ଏବେ ରାଜସ୍ଥାନ ଲିଙ୍କ୍ ପାଇଛି। ଦୁଇଟି ହ୍ବାଟସଆପ୍ ନମ୍ବର ରାଜସ୍ଥାନରୁ ନିୟନ୍ତ୍ରଣ କରାଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୁରାକ୍ ପାଇଛି। ତେବେ; ଏହି ଦୁଇଟି ନମ୍ବର କେଉଁ ବ୍ୟକ୍ତିଙ୍କ ପରିଚୟ ବ୍ୟବହାର ହୋଇ କିଣାଯାଇଛି, ସେ ନେଇ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡରକୁ ତଥ୍ୟ ମାଗିଛି ପୁଲିସ।

Related Posts