ନାଶିକ: ଦୁର୍ଘଟଣାରେ ଚାଲିଗଲା 4 ଜୀବନ । ଦୁଇଟି ପିକଅପ୍‌ ଭ୍ୟାନର ଛାତ ଉପରେ ବସି ଯାଉଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଯୋଗୁ ସେମାନେ ଗୋଟିଏ ଫ୍ଲାଏଓଭର୍‌ରୁ ସିଧା ୪୦ ଫୁଟ ତଳକୁ ଖସି ପଡ଼ିଥିଲେ। ଏହି ଲୋକମାନେ ବସିଥିବା ୨ଟି ପିକ୍‌ଭ୍ୟାନକୁ ସାମ୍ନାରୁ ଆସୁଥିବା ଗୋଟିଏ ଟ୍ରକ୍‌ ଧକ୍କା ଦେବାକୁ ଏପରି ଘଟଣା ଘଟିଛି।

ବୁଧବାର ସକାଳ ପ୍ରାୟ ୬.୪୫ରେ ମହାରାଷ୍ଟ୍ର ଅନ୍ତର୍ଗତ ଜଲଗାଓଁ ଜିଲ୍ଲାର ନଶିରାବାଦ ଠାରେ ଗୋଟିଏ ଫ୍ଲାଏଓଭର୍‌ରେ ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଚ୍ଛାୟା ଖେଳି ଯାଇଛି। ଦୁର୍ଘଟଣାରେ ଆଉ ୧୧ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନଶିରାବାଦ ଓ ଜଲଗାଓଁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନଶିରାବାଦ ପୁଲିସ୍‌ ଷ୍ଟେସନର ଏପିଆଇ ଅନୀଲ ମୋରେ କହିଛନ୍ତି, ନଶିରାବାଦର ରେଳବାଇ ଫ୍ଲାଏଓଭର୍‌ରେ ଏହି ଦୁର୍ଘଟଣା ଘଟିଛି। ଦୁଇଟି ପିକଅପ ଭ୍ୟାନ୍‌ରେ ପ୍ରାୟ ୧୫ ଜଣ ଲୋକ ଫୈଜପୁରର ସଭଦାରେ ଥିବା ଗୋଟିଏ ମାର୍କେଟକୁ ଛେଳି ବିକ୍ରି କରିବାକୁ ଯାଉଥିଲେ। ଏମାନଙ୍କ ମଧ୍ୟରୁ କିଛି ଲୋକ ପିକ ଭ୍ୟାନର କ୍ୟାବିନେରେ ବସିଥିବା ବେଳେ ୪ ଜଣ ଛାତ ଉପରେ ବସି ଯାତ୍ରା ଆରମ୍ଭ କରିଥିଲେ।

ତେବେ ସକାଳ ପ୍ରାୟ ୬.୪୫ରେ ଜଲଗାଓଁ ସିଟି ଦିଗରେ ଯାଉଥିବା ଗୋଟିଏ ଦ୍ରୁତଗାମୀ ଟ୍ରକ୍ ହଠାତ୍ ସାମ୍ନାରୁ ଆସୁଥିବା ଦୁଇଟି ଯାକ ପିକ୍ଅପ ଭ୍ୟାନକୁ ଧକ୍କା ଦେଇଥିଲେ। ଟ୍ରକ୍‌ ଧକ୍କା ଦେବାରୁ ପିକ୍‌ ଭ୍ୟାନ୍‌ର ଛାତ ଉପରେ ବସିଥିବା ୪ ଜଣ ଲୋକ ସିଧା ଫ୍ଲାଏଓଭର୍‌ରୁ ୪୦ ଫୁଟ ତଳକୁ ଖସି ପଡ଼ିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ଜୀବନ ଯାଇଥିଲା। ପୁଲିସ୍‌ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।