କାହିରା : ଲିବିୟା ଉପକୂଳବର୍ତ୍ତୀ ଭୂମଧ୍ୟସାଗରରେ ଅଘଟଣ । ଏକ ଯାତ୍ରୀବାହୀ ରବର ଡଙ୍ଗା ବୁଡ଼ି ଯାଇଛି। ଫଳରେ ଏହି ଘଟଣାରେ ୩୦ ଜଣ ନିଖୋଜ ଅଛନ୍ତି। ସେମାନେ ସମୁଦ୍ରରେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି। ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ। ଫଳରେ ଏହା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିବା କୁହାଯାଉଛି।

ୟୁରୋପରେ ଶରଣ ନେବାକୁ ଯାଉଥିବା ମହିଳା ଏବଂ ଶିଶୁଙ୍କ ସମେତ ବହୁ ଲୋକ ଏଥିରେ ଥିଲେ। ଏକ ଅନ୍ତର୍ଜାତୀୟ ସଂସ୍ଥା ଏହି ସୂଚନା ଦେଇଛି। ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାରକାରୀ ଜାହାଜ ଡଙ୍ଗା ନିକଟରେ ପହଞ୍ଚି କିଛି ମହିଳାଙ୍କ ସମେତ କେତେକ ଶରଣାର୍ଥୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। କିନ୍ତୁ ଉଦ୍ଧାର ଜାହାଜ ଜିଓ ବାରେଣ୍ଟସରେ ଥିବା ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି।

ନିଖୋଜ ଶରଣାର୍ଥୀମାନଙ୍କ ମଧ୍ୟରେ ପାଞ୍ଚଜଣ ମହିଳା ଏବଂ ଆଠ ଜଣ ଶିଶୁ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି। ସେମାନଙ୍କ କୌଣସି ସୂଚନା ଏଯାବତ୍ ମିଲିପରିଲାନି ।