ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁମ୍ବାଇରେ ପହଞ୍ଚିଲେ ଏକନାଥ ସିନ୍ଧେ । ତେବେ ଭାଜପା ନେତା ଦେବେନ୍ଦ୍ର ଫଡନ୍ବିସ୍ ସହ ସିନ୍ଧେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ନେଇ ଦାବି କରିପାରନ୍ତି ବୋଲି ସୂଚନା ମିଳିଛି। ଏହାପରେ ମହାରାଷ୍ଟ୍ର ରାଜନୀତିକୁ ସାରା ଦେଶର ନଜର ରହିଛି । ରାଜ୍ୟରେ ବିଜେପି ସବୁଠୁ ବଡ଼ ଦଳ ହୋଇଥିବାରୁ ସରକାର ଗଠନ ପାଇଁ ଦାବି କରିବ ଦଳ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ୍ ।ସେପଟେ ସରକାର ଗଠନ ପାଇଁ ବିଜେପି ପକ୍ଷରୁ ଜୋରଦାର କସରତ ଆରମ୍ଭ ହୋଇଛି । ଫଡନାଭିସଙ୍କ ଘରେ କୋର କମିଟି ବୈଠକ ବସିଛି । ବୈଠକରେ ମହାରାଷ୍ଟ୍ର ବିଜେପି ପ୍ରଭାରୀ, ଦଳୀୟ ନେତା ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ସହ ମିଶି ବିଜେପି ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।
ଏହାରି ଭିତରେ ଯାହାଙ୍କୁ ଫଡନାଭିସ୍ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ତାହାର ଏକ ସମ୍ଭାବ୍ୟ ତାଲିକା ଆସିଛି । ଏହି ତାଲିକା ଅନୁସାରେ ଏକନାଥ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ । ଶିବସେନାର ୧୨ ବାଗି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।
