ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଗାମ୍ବର୍ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇ ନୁପୁର ଶର୍ମା ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏପରି କରିବା ଦ୍ବାରା ନୁପୁରଙ୍କ ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ମିଳିବାରେ ଲାଗିଥିଲା । ଏହାମଧରେ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ନୁପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଟିଭିରେ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଚାଲିଥିବା ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ଶର୍ମା ଦାବି କରିଛନ୍ତି।

କୋର୍ଟରେ ଏହି ଆବେଦନର ଶୁଣାଣି ହୋଇଥିଲା। ଶର୍ମାଙ୍କ ବିରୋଧରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ଏହି ପିଟିସନର ଶୁଣାଣି ବେଳେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, ଦେଶରେ ଯାହା ଘଟୁଛି ସେଥିପାଇଁ ସେ ଏକାକୀ ଦାୟୀ। ସେ ବିତର୍କରେ କିପରି ଭାବରେ ଉତ୍ତେଜିତ ହୋଇଥିଲେ ତାହା ଆମେ ଦେଖିଥିଲୁ। କିନ୍ତୁ ଜଣେ ଆଇନଜୀବୀ ହୋଇ ମଧ୍ୟ ସେ କିପରି ଭାବରେ ଏହି କଥା କହିଥିଲେ ତାହା ଲଜ୍ଜାଜନକ। ତାଙ୍କ ମନ୍ତବ୍ୟ ପାଇଁ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉଦୟପୁର ଘଟଣା ପାଇଁ ମଧ୍ୟ ସେ ଦାୟୀ। ତେଣୁ ସେ ସମଗ୍ର ଦେଶକୁ ଟିଭି ଜରିଆରେ ଆସି କ୍ଷମା ମାଗିବା ଉଚିତ।

ସୂଚନାଯୋଗ୍ୟ,ଟିଭି ବିତର୍କ ସମୟରେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁର ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଭାଜପା ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏହି ଘଟଣାକୁ ନେଇ ଦେଶର ଅନେକ ସ୍ଥାନରେ ଅଶାନ୍ତି ଦେଖାଦେଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।