ବାରମ୍ବାର ବାରମ୍ବାର ହତ୍ୟା ଧମକ ମିଳିବା ପରେ ବିଜେପିରୁ ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ

ଭୁବନେଶ୍ୱର,୧୨/୧(ସତ୍ୟପାଠ ବ୍ୟୁରୋ): ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ଦଳର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ମିଳିଛି ବନ୍ଧୁକ ରଖିବା ପାଇଁ ଲାଇସେନ୍ସ। ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଆତ୍ମରକ୍ଷା ପାଇଁ ନୂପୁରଙ୍କୁ ଏପରି ଲାଇସେନ୍ସ ଦିଆଯାଇଛି। ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ସେ ଅଭଦ୍ର ଟିପ୍ପଣୀ କରିଥିବାରୁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲା। ଏହାର ତଦନ୍ତ ଦିଲ୍ଲୀ ପୁଲିସ୍‌ କରୁଛି।ଏସବୁ ଭିତରେ ନୂପୁରଙ୍କୁ ବିଭିନ୍ନ ସ୍ଥାନରୁ ବାରମ୍ବାର ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି। ଧମକ ମିଳୁଥିବାରୁ ସେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି ଦିଲ୍ଲୀ ପୁଲିସ୍‌ ତାଙ୍କୁ ଲାଇସେନ୍ସ ପ୍ରଦାନ କରିଛି।

ସୂଚନାଯୋଗ୍ୟ ଯେ, ନୂପୁର ୨୦୨୨ ମସିହା ଜୁନ ମାସରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ ଏକ ଟିଭି ଚ୍ୟାନେଲ ବିତର୍କରେ ବିଜେପି ସପକ୍ଷରେ ଯୁକ୍ତି ବାଢୁଥିବା ବେଳେ ପ୍ରଫେଟଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିଲେ। ଏହାକୁ ନେଇ ପୂରା ଦେଶରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ମୁସଲିମ ରାଷ୍ଟ୍ର ମଧ୍ୟ ଏଥିପାଇଁ ଭାରତ ସରକାରଙ୍କ ଆଗରେ ନିଜର ଅସନ୍ତୋଷ ଜାହିର କରିଥିଲେ।

ଭାରତ ସରକାର ନୂପୁରଙ୍କ ଠାରୁ ଦୂରତା ଅବଲମ୍ବନ କରିବା ସହ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ତାଙ୍କ ସମର୍ଥନରେ ବାହାରିଥିବା ଦିଲ୍ଲୀ ବିଜେପିର ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିଲା। ଅସନ୍ତୋଷ ପ୍ରଶମିତ କରିବାକୁ ବିଜେପି ଚେଷ୍ଟା କରିଥିଲେ ମଧ୍ୟ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ଘଟଣାର ତଦନ୍ତରେ ପକ୍ଷପାତିତା କରିଥିବାରୁ ତୀବ୍ର ସମାଲୋଚନା କରିଥିଲେ। ଏହାପରେ ଦେଶର ବିଭିନ୍ନ ସ୍ଥାନରେ ନୂପୁରଙ୍କ ନାଁରେ ରୁଜୁ ହୋଇଥିବା ମାମଲାକୁ ଦିଲ୍ଲୀ ପୁଲିସ୍‌ ନିକଟକୁ ସ୍ଥାନାନ୍ତର ମଧ୍ୟ କରିଥିଲେ।

Related Posts