୨ଜଣ ଲଶ୍କର୍‌ ଆତଙ୍କବାଦୀଙ୍କୁ ବାନ୍ଧି ପୁଲିସ ହାତରେ ଦେଲେ ଗ୍ରାମବାସୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨ଜଣ ଲଶ୍କର୍‌ ଆତଙ୍କବାଦୀଙ୍କୁ ବାନ୍ଧି ପୁଲିସ ହାତରେ ଦେଲେ ଗ୍ରାମବାସୀ । ତେବେ ବିପୁଳ ଅସ୍ତ୍ରଶସ୍ତ୍ର ରଖିଥିବା ଦୁଇଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀଙ୍କୁ ଗ୍ରାମବାସୀମାନେ କାବୁ କରି ଆଜି ଜମ୍ମୁ ଓ କଶ୍ମୀର ରେଆସି ଜିଲ୍ଲାର ପୁଲିସକୁ ହସ୍ତାନ୍ତର କରିଥିବା କଥା ପୁଲିସ କହିଛି।ନିକଟ ଅତୀତରେ ରେଆସି ଜିଲ୍ଲାରେ ଘଟିଥିବା ‘ଆଇଇଡି’ ବିସ୍ଫୋରଣ ଘଟଣାର ‘ମାଷ୍ଟର୍‌ମାଇଣ୍ଡ୍‌’ ‘ଲଶ୍କର୍‌’ କମାଣ୍ଡର୍‌ ତାଲିବ୍‌ ହୁସେନ୍‌ଙ୍କୁ ତୁକ୍‌ସାନ୍‌ଗ୍ରାମବାସୀମାନେ କାବୁ କରି ନିରାପତ୍ତା ବଳଙ୍କ ହାତରେ ଧରାଇ ଦେଇଥିଲେ। ‘ଲଶ୍କର୍‌-ଏ-ତୈବା’ର ଏହି ଆତଙ୍କବାଦୀ କମାଣ୍ଡର୍‌ଙ୍କ ନାଁରେ ଜମ୍ମୁ ଓ କଶ୍ମୀର ପୁଲିସ ପୁରସ୍କାର ଘୋଷଣା କରିଥିଲା। ସେହି ଗାଁରୁ ଫୈଜଲ୍‌ ଅହମଦ୍‌ ଦର୍‌ ନାମରେ ଆଉ ଜଣେ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦେଶକ କହିଛନ୍ତି, ରେଆସି ଜିଲ୍ଲା ଅନ୍ତର୍ଗତ ତୁକସାନ ଗ୍ରାମବାସୀମାନେ ଅସ୍ତ୍ରଶସ୍ତ୍ର ରଖିଥିବା ଦୁଇଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀଙ୍କୁ କାବୁ କରିଥିଲେ। ସେମାନଙ୍କଠାରୁ ୨ଟି ଏକେ-୪୭ ରାଇଫଲ୍‌, ୭ଟି ଗ୍ରେନେଡ୍‌ ଏବଂ ଗୋଟିଏ ପିସ୍ତଲ୍‌ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ ଲାଗି ‘ଡିଜିପି’ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ସେପଟେ କିଛି ଦିନ ତଳେ ଶ୍ରୀନଗରରେ ଦୁଇଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯିବା ପରେ ଆଜି ଉପରୋକ୍ତ ୨ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ସେ ଦୁଇଜଣ ଥିଲେ ପାମ୍ପୋର ଅନ୍ତର୍ଗତ ଶାର୍‌ ଶାଲି ଖ୍ରେଉବାସୀ ନୱିଦ୍‌ ଶାଫି ୱାନି ଏବଂ ସେହି ଜିଲ୍ଲାର କଡ଼ଲାବାଲ୍‌ବାସୀ ଫୈୟାଜାନ୍‌ ରଶିଦ୍‌ ତେଲି। ସେମାନଙ୍କଠାରୁ ୪ଟି ଚୀନା ପିସ୍ତଲ୍‌, ୬ଟି ପିସ୍ତଲ୍‌ ମାଗାଜିନ୍‌, ୧୧ଟି ପିସ୍ତଲ୍‌ ରାଉଣ୍ଡ୍‌, ଗୋଟାଏ ଗ୍ରେନେଡ୍‌, ୧୬ଟି ଜେଲାଟିନ୍‌ ସୁପର୍‌ ପାୱାର୍‌ ଷ୍ଟିକ୍‌, ୬ ମିଟର୍‌ କୋର୍ଟେକ୍ସ ତାର ଏବଂ ୮ଟି ଡିଟୋନେଟର୍‌ ଜବତ କରାଯାଇଥିଲା।

Related Posts