ପାଟନା : ଦୁର୍ଘଟଣା ର ଶିକାର ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ତାଙ୍କ ସହ ଆଜି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ପାଟଣାରେ ଥିବା ରାବଡ଼ି ଦେବୀ ଆବାସରେ ସେ ସିଡି ପାହାଚ ଚଢ଼ୁଥିବା ସମୟରେ ପଡ଼ିଯାଇଛନ୍ତି। ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରିଛନ୍ତି।
ଏହି ଅଘଟଣକୁ ନେଇ କୁହାଯାଉଛି ଯେ, ଲାଲୁ ପ୍ରସାଦ ପଡ଼ିବା ଯିବା ଫଳରେ ତାଙ୍କ ଡାହାଣ କାନ୍ଧର ହାଡ଼ ଭାଙ୍ଗି ଯିବା ସହ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି। କଙ୍କଡ଼ବାଗର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି। ତାଙ୍କ ଡାହାଣ କାନ୍ଧ ପ୍ଲାଷ୍ଟର ହେବା ପରେ ତାଙ୍କୁ ଘରକୁ ଅଣାଯାଇଛି।
ଅନ୍ୟପଟେ ଲାଲୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର କହିଛନ୍ତି। ‘ଡରିବାର କୌଣସି ଆବଶ୍ୟକତା ନାହିଁ,ତାଙ୍କ ଡାହାଣ କାନ୍ଧରେ ସାମାନ୍ୟ ଭାଙ୍ଗିଯାଇଛି। ଏବେ ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି’। ସେପଟେ ଲାଲୁଙ୍କୁ ନେଇ ଏପରି ଖବର ଶୁଣିବା ପରେ କାର୍ଯ୍ୟକର୍ତ୍ତା ଓ ନେତାମାନେ ଚିନ୍ତିତ ହୋଇଛନ୍ତି ଓ ରାବଡ଼ି ଦେବୀ ଆବାସରେ ଲାଲୁଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି।
