ଶିକ୍ଷକଙ୍କୁ ମିଳିଲା ଫାଶୀ ଦଣ୍ଡ

ମଧ୍ୟପ୍ରଦେଶରେ ଜଣେ ଶିକ୍ଷକଙ୍କୁ ମିଳିଛି ଫାଶୀ ଦଣ୍ଡ । ଏକ ୪ ବର୍ଷର ଶିଶୁକୁ ଅପହରଣ ପରେ ଦୁଷ୍କର୍ମ ମାମଲାରେ ଏହି ଦଣ୍ଡାଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ଦୁଷ୍କର୍ମକାରୀ ଶିକ୍ଷକଙ୍କୁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ କାୟମ ରଖିଛନ୍ତି ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ।

ହାଇକୋର୍ଟ ବିଚାରପତି ପି.କେ. ଜୟସୱାଲ ଓ ବିଚାରପତି ଅଂଜୁଲି ପାଲୋଙ୍କ ଖଣ୍ଡପୀଠ ଶୁକ୍ରବାର ନିଜର ରାୟରେ କହିଛନ୍ତି, ‘ଦିନକୁ ଦିନ ଏଭଳି ଅପରାଧ ଘଟଣା ବଢୁଛି । ସୁଧାର ପାଇଁ ନିଆଯାଉଥିବା ପ୍ରୟାସର ସେପରି ପ୍ରଭାବ ପଡୁଥିବା ଦେଖାଯାଉନାହିଁ । ଏମିତି ଏକ ରାୟ ପଛରେ ତର୍କ ହେଲା ଯେଉଁ କାମକୁ ସାଧାରଣ ଜନତା ଘୃଣା ବୋଲି କହୁଛି, ନ୍ୟାୟାଳୟ ସେଥିରୁ ମୁହଁ ନ ମୋଡୁ ।’’

ଜଣେ ଶିକ୍ଷକ ଏମିତି ନାରକୀୟ କାଣ୍ଡ କରିବା ଘଟଣାକୁ ସମ୍ବେଦନଶୀଳ କହିବା ସହ ଅଭିଯୁକ୍ତଙ୍କୁ ମିଳିଥିବା ଫାଶୀ ଦଣ୍ଡ ଉଚିତ ବୋଲି କହିଛନ୍ତି ବିଚାରପତି । ଘଟଣା ଘଟିଥିଲା ମଧ୍ୟପ୍ରଦେଶ ସତନା ଜିଲ୍ଲାର ଉଚ୍ଚେହରା ଥାନା ଅଞ୍ଚଳରେ । ଆଦିବାସୀ ଅଧ୍ୟୁଷିତ ପରସମନିଆରେ ଗତ ବର୍ଷ ଜୁନ ୩୦ ତାରିଖ ରାତିରେ ଅଭିଯୁକ୍ତ ଶିକ୍ଷକ ମହେନ୍ଦ୍ର ସିଂହ ଗୋଣ୍ଡ ମଦପିଇ ଶିଶୁର ଘରେ ପହଂଚିଥିଲା ।

ମହେନ୍ଦ୍ର କିଛି ସମୟ ପର୍ଯ୍ୟନ୍ତ ଶିଶୁର ବାପାଙ୍କ ସହିତ କଥାବାର୍ତ୍ତା କରିବା ପରେ ସେଠାରୁ ଫେରି ଯାଇଥିଲା । କିନ୍ତୁ କିଛି ସମୟ ପରେ ଶିଶୁର ବାପା ଶୌଚ ହେବାକୁ ଯାଇଥିବା ବେଳେ ମହେନ୍ଦ୍ର ପୁଣି ଥରେ ଫେରି ଆସି ଶିଶୁକୁ ଅପହରଣ କରି ନେଇଥିଲା । ଶିଶୁକୁ ଏକ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିବା ପରେ ଛାଡ଼ି ଦେଇଥିଲା ।

ଶୌଚାଳୟରୁ ଫେରିବା ପରେ ଝିଅକୁ ନ ପାଇ ବାପା ଗାଁ ସାରା ଖୋଜିଥିଲେ । କିନ୍ତୁ କୌଣସି ସନ୍ଧାନ ମଧ୍ୟ ପାଇ ନଥିଲେ । ଶେଷରେ ଗାଁ ନିକଟ ଜଙ୍ଗଲରୁ ମୁର୍ମୁଷ ଅବସ୍ଥାରେ ଝିଅଟିକୁ ଉଦ୍ଧାର କରାଯାଥିଲା । ଶିଶୁଟିର ପ୍ରାଥମିକ ଚିକିତ୍ସା ପରେ ଦିଲ୍ଲୀସ୍ଥିତ ଏମ୍‌ସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ଏଠାରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚିକିତ୍ସା ଜାରି ଥିଲା । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲା । ପରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ମାମଲାର ଶୁଣାଣି କରିଥିଲେ । ତେବେ ମାତ୍ର 51 ଦିନ ଭିତରେ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ।

Related Posts