ରୋହିତ ଓ ଧଓ୍ଵନ୍‌ଙ୍କ ଅର୍ଦ୍ଧଶତକ, ଦ୍ବିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ୩୨୫ ରନ୍‌ର ଲକ୍ଷ୍ୟ ଦେଲା ଭାରତ

ଓପନର ରୋହିତ ଶର୍ମା ଓ ଶିଖର ଧଓ୍ଵନଙ୍କ ଅର୍ଦ୍ଧଶତକ ବଳରେ ‘ବେ ଓଭାଲ୍‌ ଗ୍ରାଉଣ୍ଡ’ରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ୍ ହରାଇ ୩୨୪ ରନ୍‌ କରିଛି । ରୋହିତ ଶର୍ମା ୮୭ ଓ ଶିଖର ଧାଓ୍ଵନ ୬୬ ରନର ଇନିଂସ୍‌ ଖେଳିଥିଲେ ।

ଅଧିନାୟକ ବିରାଟ କୋହଲି ୪୩, ଅମ୍ବାତି ରାଇଡୁ ୪୭ ଓ ମହେନ୍ଦ୍ର ସିଂ ଧୋନି ୪୮ରନ୍‌ର ଇନିଂସ୍‌ ଖେଳିଛନ୍ତି । ଶେଷ ଓଭରରେ ୨୧ ରନ୍‌ ସଂଗୃହୀତ ହେବାରୁ ଭାରତ ଏତେ ବଡ଼ ସ୍କୋର କରିବାରେ ସକ୍ଷମ ହେଲା । ନ୍ୟୁଜିଲାଣ୍ଡ ପକ୍ଷରୁ ବୋଲ୍ଟ ଓ ଲୋକିଏ ଫର୍ଗ୍ୟୁସନ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି । ଏହା ପୂର୍ବରୁ ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଭାରତୀୟ ଓପନର ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ଓ୍ଵିକେଟ୍ ପାଇଁ ୧୬୭ ରନ ଯୋଡିଥିଲେ ଉଭୟ ଓପନର । ଏହି ସ୍କୋରରେ ଭାରତ ଧଓ୍ଵନଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା । ନ୍ୟୁଜିଲାଣ୍ଡକୁ ଲମ୍ବା ଅପେକ୍ଷା ପରେ ୨୬ ତମ ଓଭରରେ ପ୍ରଥମ ସଫଳତା ମିଳିଥିଲା ।

ଧଓ୍ଵନ ୬୭ ବଲରୁ ୯ ଚୌକା ସହାୟତାରେ ୬୬ ରନ୍‌ କରି ବୋଲ୍ଡଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ପରେ ରୋହିତ ୧୭୨ ରନ୍‌ ସ୍କୋରରେ ପାଭିଲିୟନ ଫେରିଥିଲେ । ସେ ୯୬ ବଲରୁ ୯ ଚୌକା ଓ ୩ ଛକା ସହାୟତାରେ ୮୭ ରନ୍‌ କରିଥିଲେ । ଗୋଟିଏ ସମୟରେ ଟିମ୍‌ର ସ୍କୋର 350 ରନ୍‌ ପାର୍‌ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଶେଷ ୧୦ ଓଭରରେ ଧିମା ବ୍ୟାଟିଂ କାରଣରୁ ଦଳ 324 ରନ୍‌ରେ ସୀମିତ ରହିଥିଲା ।

Related Posts