ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ହେବାକୁ ବି ଯୋଗ୍ୟ ରହିଲାନି ଶିବସେନା । ତେବେ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ହେବା ଲାଗି ଅନୁନ୍ୟ ୧୦ ପ୍ରତିଶତ ବିଧାୟକ ରହିବା କଥା। ରାଜ୍ୟରେ ମେଣ୍ଟ ସରକାର କରିଥିବା ଶିବସେନା ପାଖରେ ଏବେ ଏତିକି ବିଧାୟକ ବି ନାହାନ୍ତି । ଏଣୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ମିଳିଥିବା ବେଳେ ଅଜିତ ପାୱାର ବିରୋଧୀ ଦଳ ନେତା ହୋଇଛନ୍ତି। ସେପଟେ ଏନସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ବିଧାନସଭାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ବିରୋଧୀ ଦଳ ନେତା ଲାଗି ପ୍ରସ୍ତାବ ରଖିଥିଲେ। ଯାହାକୁ ବିଧାନସଭା ବାଚସ୍ପତି ମଞ୍ଜୁର କରିଛନ୍ତି। ଏ ନେଇ ପୂର୍ବରୁ ଦଳର ଅଧ୍ୟକ୍ଷ ତଥା ସଂସ୍ଥାପକ ଶରଦ ପାୱାର ଏକ ବୈଠକ କରିଥିଲେ।
ଏହି ବୈଠକରେ ପାର୍ଟିର ଜଣେ ବରିଷ୍ଠ ନେତାଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା କରିବା ଲାଗି ପରାମର୍ଶ ଦେଇଥିଲେ। ସେହି ଅନୁସାରେ ଜୟନ୍ତ ପାଟିଲ ଗୃହରେ ଅଜିତ ପାୱାରଙ୍କ ନାମ ପ୍ରସ୍ତାବ କରିଥିଲେ।ଏହା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାର ଦୁଇଦିବସୀୟ ଅଧିବେଶନର ଦ୍ୱିତୀୟ ଦିନ ସୋମବାର ଗୃହରେ ଶକ୍ତି ପରୀକ୍ଷାରେ ବିଜୟୀ ହୋଇଥିଲେ। ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଜେପି-ଶିବସେନା ମେଣ୍ଟ ୧୬୪ ଭୋଟ ହାସଲ କରି ଶକ୍ତିପରୀକ୍ଷାରେ ବିଜୟୀ ହୋଇଛନ୍ତି। ଫଳରେ ସରକାର ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।
