ପାଟନା : ପାହାଚରୁ ଖସି ପଡିବା ପରେ ଏବେ ବିଗିଡିବାରେ ଲାଗିଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା । ଗୁରୁତର ଅବସ୍ଥାରେ ତାଙ୍କୁ ବିଳମ୍ବିତ ରାତିରେ ଦିଲ୍ଲୀର ଏମ୍ସ୍ରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ବରିଷ୍ଠ ଡାକ୍ତରଙ୍କ ଏକ ଟିମ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ଏହାପୂର୍ବରୁ ତାଙ୍କୁ ପାଟନାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା୍। ବୁଧବାର ରାତିରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇଥିଲା।
ଲାଲୁ ଯାଦବ ଦୁଇ ଦିନ ପୂର୍ବେ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ବାସଭବନରେ ପାହାଚରୁ ଖସି ପଡ଼ିଥିଲେ। ଯେଉଁଥିପାଇଁ ତାଙ୍କ ଶରୀରର ହାଡ଼ ତିନି ସ୍ଥାନରେ ଭାଙ୍ଗି ଯାଇଛି। ସେ ପୂର୍ବରୁ ବହୁ ସ୍ବାସ୍ଥ୍ୟଗତ ସମସ୍ୟା ସହିତ ଲଢୁଛନ୍ତି। ଏଭଳି ପରିସ୍ଥିତିରେ ଆଘାତ ଯୋଗୁଁ ତାଙ୍କ ଅବସ୍ଥା ଅଧିକ ବିଗିଡି ଯାଇଛି।Vଲାଲୁ ଯାଦବ ଦିଲ୍ଲୀରେ ପହଞ୍ଚିବା ପରେ ପୁଅ ତେଜସ୍ବୀ ଯାଦବ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଶିଡ଼ିରୁ ଖସିଯିବା କାରଣରୁ ତାଙ୍କ ହାଡ଼ ଭାଙ୍ଗି ଯାଇଛି, ଯେଉଁଥିପାଇଁ ଶରୀର ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ତେଜସ୍ବୀ କହିଛନ୍ତି, ତାଙ୍କର ସମ୍ପୂର୍ଣ୍ଣ ଯାଞ୍ଚ୍ ଏମ୍ସରେ କରାଯିବ। ଏହା ପରେ ଡାକ୍ତରୀ ଦଳ ପରବର୍ତ୍ତୀ ଚିକିତ୍ସା ବିଷୟରେ ନିଷ୍ପତ୍ତି ନେବେ।
ପରିବାର ସୂତ୍ର ଅନୁଯାୟୀ, ଲାଲୁ ଯାଦବଙ୍କ ଫୁସଫୁସରେ ପାଣି ଜମି ରହିଛି। ଏହି କାରଣରୁ ସମସ୍ୟା ବୃଦ୍ଧି ପାଉଛି।
ସେପଟେ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ ଲୋକଙ୍କୁ ଏକ ଭାବପ୍ରବଣ ଆବେଦନ କରିଛନ୍ତି। ସେ ଲାଲୁ ଯାଦବଙ୍କ ପ୍ରଶଂସକଙ୍କୁ କହିଛନ୍ତି ଯେ ସେମାନେ ବିବ୍ରତ ହୁଅନ୍ତୁ ନାହିଁ, ଚିନ୍ତା କରିବାର କିଛି ନାହିଁ। ଆରଜେଡି ସଭାପତି ସୁସ୍ଥ ଅଛନ୍ତି। ଆପଣ ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେ ସେ ଶୀଘ୍ର ସୁସ୍ଥ ହୋଇ ପୁଣି ଆମ ସମସ୍ତଙ୍କ ମେଳକୁ ଫେରି ଆସନ୍ତୁ ।
