ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁଲାଇ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ।ଏହି ବୈଠକ ପାଇଁ ସଂସଦ ଦୁଇ ଗୃହ(ଲୋକସଭା ଏବଂ ରାଜ୍ୟସଭା)ର ସବୁ ରାଜନୈତିକ ଦଳ ସହ ଗୃହର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ । ପିଏମ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଜୋଶୀଙ୍କ ସହ ଅନ୍ୟ ମନ୍ତ୍ରୀ ମଧ୍ୟ ଏହି ସର୍ବଦାଳୀୟ ବୈଠକରେ ଯୋଗ ଦେବେ । ସରକାର ଏହି ସର୍ବଦଳୀୟ ବୈଠକରେ ସବୁ ରାଜନୈତିକ ଦଳ ସହ ସଂସଦର ଏଜେଣ୍ଡା ଉପରେ ସହମତି ସ୍ଥାପନ କରିବା ପାଇଁ ପ୍ରୟାସ କରିବେ । ସଂସଦର ଦୁଇ ଗୃହର କାର୍ଯ୍ୟ ସୁଚାରୁ ଭାବେ ତୁଲାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ। ସେପଟେ ସଂସଦର ମୌସୁମୀ ଅଧିବେଶନ ଅସନ୍ତା ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ଯାଏଁ ଚାଲିବ ।
ସଂସଦର ଏହି ଅଧିବେଶନ ଅନେକ ଦୃଷ୍ଟିରୁ ବହୁ ଗୁରୁତ୍ୱ ବହନ କରୁଛି । କାରଣ ଏଥର ଅଧିବେଶନ ସମୟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ଜୁଲାଇ ୧୮ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ, ଏହାର ପରିଣାମ ଜୁଲାଇ ୨୧ରେ ଆସିବ । ସେହିପରି ଅସନ୍ତା ଅଗଷ୍ଟ ୮ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।
