ମାଲକାନଗିରି: ଆତ୍ମସମର୍ପଣ କଲା ଦୁର୍ଦାନ୍ତ ମହିଳା ମାଓ କମାଣ୍ଡର । ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ନିକଟରେ ଦୁର୍ଦାନ୍ତ ମହିଳା ମାଓ କମାଣ୍ଡର ଆତ୍ମସମର୍ପଣ କରିଛି। ମହିଳା ମାଓବାଦୀ ସରିତା ସୋଡି ।
ସରିତା ନାମରେ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ୨୦୧୩ ମସିହାରେ ରାଜନନ୍ଦଗାଓଁ ଅନ୍ତର୍ଗତ ମାନପୁରର ଔଧୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ୨୦୧୫ ମସିହାରେ ମିରତୁର ଅନ୍ତର୍ଗତ ଚରେଲି କ୍ୟାମ୍ପ ଉପରେ ଆକ୍ରମଣ, ନାରାୟଣପୁର ଅନ୍ତର୍ଗତ କୁକୁଡାଝୋର କ୍ୟାମ୍ପ ଉପରେ ଆକ୍ରମଣ, ୨୦୧୫ରେ ରେଳ ଲାଇନ କାଟି ଉଡାଇବା ଘଟଣାରେ ସାମିଲ ଥିବା ପୁଲିସ କହିଛି।
ସେହିପରି ୨୦୧୭ ମସିହାରେ ଜଣେ ଗ୍ରାମବାସୀକୁ ହତ୍ୟା କରିବା, ୨୦୧୯ରେ ଡଣ୍ଡାବେଡା ଠାରେ ପ୍ରଜାକୋର୍ଟରେ ୯ ଜଣଙ୍କୁ ହତ୍ୟା କରିବା ଭଳି ସଂଗୀନ ଅଭିଯୋଗ ରହିଛି। ୨୦୨୦ରେ ଜଟାବାୟାରେ ମିଲିସିଆଙ୍କ ସହ ମିଶି ଜଣକୁ ହତ୍ୟା ଏବଂ ସେହି ବର୍ଷ ହିଁ ଘର ଘର ବୁଲି ମାଗି ଖାଉଥିବା ଜଣେ ମହିଳାକୁ ମଧ୍ୟ ହତ୍ୟା କରିଥିବା ସେ ସ୍ବୀକାର କରିଛି। ତେବେ ସରିତାକୁ ନେଇ ପୁଲିସ ମଧ୍ୟ ଚିନ୍ତାରେ ଥିଲା। ବହୁ ଘଟଣା ଘଟାଇ ସରିତା ଖସି ପଳାଇବାରେ ସଫଳ ହେଉଥିଲା। ସରିତା ଆତ୍ମସମର୍ପଣ କରିବା ପରେ ସଂଗଠନରେ ଏକ ବଡ ଜାଗା ଖାଲି ହୋଇଥିବା ପୁଲିସ କହିଛି। ଆଗକୁ ସଂଗଠନ ଦୁର୍ବଳ ହେବ ବୋଲି ପୁଲିସ କହିଛି।
