ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମେରିକାର ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଗତ କିଛିଦିନ ହେଲା ଟଙ୍କା ମୂଲ୍ୟ ଅହେତୁକ ହ୍ରାସ ପାଇଛି । ଗୁରୁବାର ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ହ୍ରାସ ପାଇ ୮୦ ଟଙ୍କା ଛୁଇଁଥିଲା । ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଗ୍ରାଫ୍ ଦେଖିବାକୁ ମିଳିଥିଲା ।
ଏହାକୁ ନେଇ ଶନିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ।କେନ୍ଦ୍ରକୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, “୮୦, ୯୦ ପୁରା ୧୦୦?” ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟକୁ ନେଇ ଲମ୍ବା ଲମ୍ବା ଭାଷଣ ଦେଉଥିଲେ । ହେଲେ ଏବେ ଇତିହାସରେ ପ୍ରଥମ ଥର ପାଇଁ ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ସବୁଠାରୁ ନିମ୍ନ ସ୍ତରକୁ ଖସିଆସି ୮୦ ଟଙ୍କା ହୋଇଯାଇଛି’।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ଆହୁରି କହିଛନ୍ତି, “ଏବେ କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ । ନିଦରୁ ଉଠି ଦେଶର ଆର୍ଥିକ ନୀତିରେ ସୁଧାର କରନ୍ତୁ ସରକାର”। ରାହୁଲ ଆହୁରି ମଧ୍ୟ କହିଛନ୍ତି, ‘ଟଙ୍କାର ମୂଲ୍ୟ ଯେଉଁଭଳି ଭାବେ ଦୟନୀୟ ହେଉଛି ଏହାର ଫଳ ଆଗାମୀ ଦିନରେ ଦେଶର ଜନତା ହିଁ ଭୋଗିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟଙ୍କାର ମୂଲ୍ୟ ମଜବୁତ ହେବାକୁ ହେଲେ ଜଣେ ମଜବୁତ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି । କିନ୍ତୁ ଏବେ ସେ ପ୍ରଧାନମନ୍ତ୍ରୀ ଅଛନ୍ତି ଟଙ୍କାର ମୂଲ୍ୟ କିପରି ମଜବୁତ୍ ହେବ ସେକଥା କାହିଁକି ଚିନ୍ତା କରୁନାହାନ୍ତି।
ସୂଚନା ଅନୁସାରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୭ ପଇସା ବୃଦ୍ଧି ପାଇ ୭୯.୮୨ରେ ପହଞ୍ଚି ଯାଇଥିଲା । ଏହା ପୂର୍ବରୁ ଗୁରୁବାର ତାହା ୮୦ ଟଙ୍କା ଛୁଇଁଥିଲା । ଯାହାକି ସର୍ବକାଳୀନ ରେକର୍ଡ ।
