ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୧୭ମ ଲୋକସଭାର ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଚସ୍ପତି ମୌସୁମୀ ଅଧିବେଶନ କେମିତି ସୁରୁଖୁରୁରେ ଚାଲିବ ସେ ନେଇ ଶାସକ ଏବଂ ବିରୋଧୀ ଦଳଗୁଡିକର ସହଯୋଗ କାମନା କରିଛନ୍ତି।ହେଲେ ବୈଠକରେ ଅନେକ ବିରୋଧୀ ଦଳ ଯୋଗ ଦେଇନଥିବା ଦେଖାଯାଇଛି।
ଏହି ବୈଠକରେ ଟିଏମସି, ଏନସିପି, ସମାଜବାଦୀ ପାର୍ଟି, ବିଏସପି, ବିଜେଡି, ଏନସିପି, ଜେଏମଏମ, ଟିଆରଏସ, ଟିଡିପି, ନ୍ୟାସନାଲ କନଫରେନ୍ସ, ଅକାଳି ଦଳର କୌଣସି ବି ନେତା ଯୋଗ ଦେଇନଥିଲେ।ବାଚସ୍ପତିଙ୍କ ଦ୍ଵାରା ଡକାଯାଇଥିବା ବୈଠକରେ ବିରୋଧୀ ଦଳରୁ କେବଳ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରି, ଡିଏମକେରୁ ଟିଆର ବାଲୁ ଏବଂ ଓ୍ଵାଇଏସଆରପି ସାଂସଦ ପିଭି ମିଥୁନରେଡ୍ଡୀ ଯୋଗ ଦେଇଥିଲେ। ସେପଟେ ବିଜେପିରୁ କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ ଏବଂ ସାଂସଦ ରମା ଦେବୀ ବୈଠକରେ ଯୋଗ ଦେଇଥିଲେ। ଅପନା ଦଳରୁ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ୍, ଏଲଜେପିରୁ ମନ୍ତ୍ରୀ ପଶୁପତି ପାରସ ଉପସ୍ଥିତ ଥିଲେ।ବାଚସ୍ପତି ଓମ ବିର୍ଲା କହିଛନ୍ତି, ଏହା ସ୍ଵାଧୀନତାର ୭୫ତମ ବର୍ଷପୂର୍ତ୍ତିର ଅଧିବେଶନ। ଏଥିପାଇଁ ସକରାତ୍ମକ ଏବଂ ସାଥର୍କ ଆଲୋଚନା ହେଉ। ହେଲେ ସର୍ବଦଳୀୟ ବୈଠକରେ କଂଗ୍ରେସ ଏବଂ ଡିଏମକେ ବ୍ୟତୀତ ଅଧିକାଂଶ ପାର୍ଟିର ନେତା ଅନୁପସ୍ଥିତି ଥିଲେ। ସୂଚନା ଅନୁଯାୟୀ ଜୁଲାଇ ୧୮ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନର ମୋଟ୍ ୨୬ ଦିନରେ ୧୮ କାର୍ଯ୍ୟ ଦିବସ ରହିଛି। ଅଗଷ୍ଟ ୧୨ରେ ଅଧିବେଶନ ସରୁଛି।
