ଭୁବନେଶ୍ୱର: କାର ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦୀୟ ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଳମ୍ବିତ । ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ ସ୍ନିଗ୍ଧାରାଣୀ । ସ୍ନିଗ୍ଧାରାଣୀ ଓ ଗାଡି ଚାଳକଙ୍କୁ ବଲାଙ୍ଗିରରୁ ଗିରଫ କରିଥିଲା ପୋଲିସ । ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ।

ଆଜି ତତ୍କାଳ ପ୍ରଭାବରୁ ପୁଲିସ ଡିଜି ସୁନୀଲ କୁମାର ବନସଲ ଚାକିରିରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସେ ସୁନ୍ଦରଗଡ଼ ପୁଲିସ ଏସପିଙ୍କ ଅଧୀନରେ ରହିବେ ତଥା ଓଡ଼ିଶା ସର୍ଭିସ କୋଡ୍ -୯୦ ଅନ୍ତର୍ଗତ ସେ ନିଜର ଡିଏ ଓ ଅନ୍ୟାନ୍ୟ ଭତ୍ତା ପାଇବାକୁ ମଧ୍ୟ ହକଦାର ହେବେ ବୋଲି ଆଜି ପୁଲିସ ମୁଖ୍ୟାଳୟରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ଅନ୍ୟପକ୍ଷରେ ଏହି କାର ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଡ୍ରାଇଭର ଅଜୟ ଜେଠୀଙ୍କୁ ଆଜି ଜାମିନ ମିଳିଛି । ଅଜୟଙ୍କୁ ତରଭା ଜେଏମଏଫସି କୋର୍ଟରୁ ଜାମିନ ମିଳିଛି । ତାଙ୍କୁ ପୁଲିସ ଜୁଲାଇ ୧୨ତାରିଖରେ ଗିରଫ କରିଥିଲା । ଅଜୟଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ତାଙ୍କ ନାଁରେ ଏମଭିଆଇ ଆକ୍ଟରେ ମାମଲା ରୁଜୁ ହୋଇଥିଲା ।