ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନାଁ ରେ ରୁଜୁ ହେଲା ଏକ ମାମଲା । ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ବିବାଦୀୟ ଟ୍ୱିଟ୍ କରି ଫସିଛନ୍ତି ନିର୍ଦେଶକ ।
ରାମଗୋପାଳ ବର୍ମା ଦ୍ରୋପଦୀଙ୍କ ବିଷୟରେ ଅସୌଜନ୍ୟ ଭାବରେ ଟ୍ୱିଟ୍ କରିବାରୁ ତାଙ୍କ ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ସୁବାସ ରାଜୋରା। ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି ” ରାମଗୋପାଳଙ୍କ ଟ୍ୱିଟ୍ ଅପମାନଜନକ, ଅତ୍ୟନ୍ତ ଅସୌଜନ୍ୟ ଓ ଏଥିରେ ତାଙ୍କର ଅନ୍ତର୍ନିହୀତ ମନ୍ଦ ଉଦ୍ଦେଶ୍ୟର ଗନ୍ଧ ବାରି ହେଇ ପଡ଼ୁଛି।” ବାନ୍ଦ୍ରା ମାନହାନୀ ପାଇଁ ଆଇପିସିର ଉଦ୍ଦିଷ୍ଠ ଧାରା ସହ ବାନ୍ଦ୍ରାର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟରେ ଅଭିଯୋଗ ହୋଇଛି। ଜାଣିଶୁଣି ଅପମାନିତ କରିବା ଶାନ୍ତି ଭଙ୍ଗ ପାଇଁ ଉସ୍କାଇବା, ଅପରାଧିକ ଧମକି ଆଦି ଚାର୍ଜ ଲଗାଯାଇଛି।
ସୁବାସ ରାଜୋରା ବର୍ମାଙ୍କ ବିରୋଧରେ ପ୍ରଥମେ ଥାନାରେ ମାମଲା କରିଥିଲେ। ହେଲେ ପୁଲିସ ମାମଲା ନ ରଖିବାରୁ କୋର୍ଟରେ ଆବେଦନ କରାଯାଇଛି। ଅକ୍ଟୋବର ୧୦ ତାରିଖରେ ଏହାର ଶୁଣାଣି ହେବ ବୋଲି ସୁବାସ ରାଜୋରାଙ୍କ ଓକିଲ ସୂଚନା ଦେଇଛନ୍ତି।
ଜୁନ ୨୨ ତାରିଖରେ ରାମଗୋପାଳ ବର୍ମା ଏଭଳି ବିବାଦୀୟ ଟ୍ୱିଟ୍ କରିଥିଲେ। ସେ ତାଙ୍କ ଟ୍ୱିଟ୍ରେ ଲେଖିଥିଲେ “ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ ? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କୌରବ କିଏ ହେବେ?” ରାମ ଗୋପାଳ ଏପରି ଟ୍ୱିଟ୍ କରିବା ପରେ ସୋସିଆଲ୍ ମିଡିଆରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ଟ୍ୱିଟ୍ର ଦୁଇଦିନ ପରେ ପ୍ରତିକ୍ରିୟା ଦେଇ ରାମଗୋପାଳ କହିଥିଲେ ଯେ କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା ।





