ରାଜ୍ୟସଭାରେ ବିଜେପିର ମୁଖ୍ୟ ସଚେତକ ହେଲେ ଉତ୍ତରପ୍ରଦେଶର ପୂର୍ବତନ ଭାଜପା ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବାଜପେୟୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ପୂର୍ବତନ ଭାଜପା ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଦଳ ପକ୍ଷରୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି । ବିଜେପି ଲକ୍ଷ୍ମୀକାନ୍ତଙ୍କୁ ରାଜ୍ୟସଭାରେ ନୂଆ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛି । ଏହାପୂର୍ବରୁ ଶିବପ୍ରତାପ ଶୁକ୍ଲା ଏହି ମୁଖ୍ୟ ସଚେତକ ପଦରେ ଥିଲେ ।ଶିବପ୍ରତାପଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ମାସରେ ସମାପ୍ତ ହୋଇଯାଇଛି ।ଲକ୍ଷ୍ମୀକାନ୍ତଙ୍କୁ ରାଜ୍ୟସଭାରେ ବିଜେପିର ମୁଖ୍ୟ ସଚେତକ ଭାବେ ନିଯୁକ୍ତି କରାଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

ଲକ୍ଷ୍ମୀକାନ୍ତ ଲଗାତର ଭାବେ ଚାରିଥର ୟୁପି ବିଧାନସଭାର ସଦସ୍ୟ ରହିଥିଲେ।ଲକ୍ଷ୍ମୀକାନ୍ତ ଉତ୍ତରପ୍ରଦେଶରେ ବିଜେପିର ଜଣେ ବଡ଼ ଚେହେରା । ସେ ପଶ୍ଚିମ ୟୁପିର ମେରଠର ବାସିନ୍ଦା ଅଟନ୍ତି । ଗତ ମେ ମାସରେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ସେ ପ୍ରଦେଶ ଅଧ୍ୟକ୍ଷ ରହିଥିବା ସମୟରେ ବିଜେପି ଗତ ୨୦୧୪ରେ ଲୋକସଭା ନିର୍ବାଚନରେ ୭୩ଟି ସିଟ୍ ଜିତିବାକୁ ସକ୍ଷମ ହୋଇଥିଲା । ମୁଲାୟମ ସିଂହ ଯାଦବଙ୍କ ପରିବାରର ବୋହୂ ଅପର୍ଣ୍ଣା ଯାଦବ, ରାୟବରେଲିର କଂଗ୍ରେସ ବିଧାୟକ ଅଦିତି ସିଂହଙ୍କ ସମେତ ସମାଜବାଦୀ ପାର୍ଟିର ଅନେକ ଜନପ୍ରତିନିଧିଙ୍କୁ ବିଜେପିରେ ସାମିଲ କରାଇବାରେ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Related Posts