ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୫ବର୍ଷରେ ଯାଇଛି ୨୩୩ଟି ହାତୀଙ୍କ ଜୀବନ । ୪୭ଟି ହାତୀଙ୍କ ମୃତ୍ୟୁ କେମିତି ହୋଇଛି ତାହାର କାରଣ ଖୋଜି ପାଉନି ବନ ବିଭାଗ । ବନ୍ୟଜନ୍ତୁମାନଙ୍କୁ ଆବଶ୍ୟକ ସୁରକ୍ଷା ମିଳୁନଥିବାରୁ ଶିକାରୀ ଏବଂ ଦୁର୍ଘଟଣାରେ ସେମାନେ ପ୍ରାଣ ହରାଉଥିବା କଥା ସତ୍ୟ ନୁହେଁ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ସେପଟେ ୨୦୧୭ ଗଣନା ଅନୁଯାୟୀ ରାଜ୍ୟରେ ୧୯୭୬ଟି ହାତୀ ରହିଥିଲେ । ବର୍ତ୍ତମାନ ଏଥିମଧ୍ୟରୁ ଏହି ୫ବର୍ଷ ମଧ୍ୟରେ ୨୩୩ଟି ହାତୀଙ୍କର ଜୀବନ ଯାଇଛି । ଯାହା ମଧ୍ୟରେ ୧୪ଟି ହାତୀ ଶିକାରୀମାନଙ୍କ ଦ୍ବାରା, ୬୩ଟି ହାତୀ ବିଦ୍ୟୁତ ଆଘାରେ, ୨୦ଟି ହାତୀ ରେଳ ଦୁର୍ଘଟଣାରେ, ୪ଟି ହାତୀ ସଡ଼କ ଦୁର୍ଘଟଣାରେ ଓ ୮୫ଟି ହାତୀ ପ୍ରାକୃତିକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୪୭ଟି ହାତୀଙ୍କର କେମିତି ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି ।

ସେହିପରି ୨୦୧୮ ଗଣନା ଅନୁଯାୟୀ ରାଜ୍ୟରେ ୨୮ଟି ବାଘ ଥିବାବେଳେ ସେଥିମଧ୍ୟରୁ ୨ଟି ବାଘ ଶିକାରୀମାନଙ୍କ ଦ୍ବାରା ଏବଂ ଗୋଟିଏ ବାଘର ପ୍ରାକୃତିକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଉତ୍ତର ରଖିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।