ଅଗରତାଲା: କରୋନା କବଜାରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେ ତୁରନ୍ତ ସୁରକ୍ଷିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମାଣିକ ସାହା ନିଜର ଟେଷ୍ଟ ରିପୋର୍ଟ ସାର୍ବଜନୀନ କରି କହିଛନ୍ତି ଯେ “ମୁଁ ଆଜି କରୋନାରେ ଆକ୍ରାନ୍ତ ହୋଇଛି। ମୁଁ ସଂପୂର୍ଣ୍ଣ ସୁସ୍ଥ ଓ ଫିଟ ଅଛି।ମୋର କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ମୁଁ ଅନୁରୋଧ କରୁଛି କି ସେମାନେ ତୁରନ୍ତ ଆବଶ୍ୟକ ସୁରକ୍ଷିତ ପଦକ୍ଷେପ ଗ୍ରହଣ କରନ୍ତୁ।”
ମେ’ ୧୪ରେ ତ୍ରିପୁରାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ସ୍ଥାନରେ ମାଣିକ ସାହା ଏହି ପଦ ଦାୟିତ୍ୱ ଗ୍ରହଣ କରିଥିଲେ। ଦାନ୍ତ ଡାକ୍ତରରୁ ରାଜନେତା ବନିଥିବା ମାଣିକ ସାହା ଜୁନ ୨୬ରେ ବିଧାନସଭାର ଉପ ନିର୍ବାଚନ ବେଶ ସହଜରେ ଜିତି ନିଜର ମୁଖ୍ୟମନ୍ତ୍ରୀ ପଦକୁ ସୁରକ୍ଷିତ କରିଥିଲେ ।
