ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଯୁବ ଦଳକୁ ନେଇ ଗଠିତ ଭାରତୀୟ ଦଳ ଉନ୍ନତ ପ୍ରଦର୍ଶନ ସହ ପ୍ରଥମ ଦିନିକିଆ ରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଘରୋଇ ଦଳ ୱେଷ୍ଟ ଇଣ୍ଡିଜ ମଧ୍ୟ ସମ୍ପୂର୍ଣ ପ୍ରସ୍ତୁତ । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ସ୍ଥାନରେ ଶିଖର ଧୱନ ଭାରତୀୟ ଦଳର ନେତୃତ୍ୱ ନେବେ । ବିରାଟ କୋହଲିଙ୍କ ସମେତ ଜଶପ୍ରୀତ ବୁମରା, ମହମ୍ମଦ ସାମି, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଏହି ଶୃଙ୍ଖଳା ପାଇଁ ବିଶ୍ରାମ ନେଇଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିବ ।
ଷ୍ଟାର୍ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ଦଳ ଯଥେଷ୍ଟ ଶକ୍ତିଶାଳୀ ମନେ ହେଉଛି। ଯୁବ ଓପନର ଶୁଭମନ ଗିଲ୍, ଇଶାନ କିଷନ ଓ ଋତୁରାଜ ଗାଏକୱାଡ୍ଙ୍କ ମଧ୍ୟରୁ ଜଣେ ଶିଖର ଧାୱନଙ୍କ ସହ ପାଳି ଆରମ୍ଭ କରିବେ ।ଗାଏକୱାଡ୍ ଏପର୍ଯ୍ୟନ୍ତ ଦିନିକିଆ ଖେଳି ନଥିଲେ ହେଁ ଆଜିର ମ୍ୟାଚ୍ରେ ପଦାର୍ପଣ କରିବା ଅଶା କରାଯାଉଛି । ଘରୋଇ ଦିନିକିଆ କ୍ରିକେଟ୍ରେ ତାଙ୍କ ପ୍ରଦର୍ଶନ ଭଲ ରହିଛି । ଗତ ବିଜୟ ହଜାରେ ଟ୍ରଫିରେ ସେ ୩ଟି ଶତକ ଅର୍ଜନ କରିଥିଲେ । ଶ୍ରେୟାସ ଆୟର, ଦୀପକ ହୁଡ଼ା, ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବ ଦଳର ମଧ୍ୟଭାଗ ବ୍ୟାଟିଂ ସମ୍ଭାଳିବେ।
ୱେଷ୍ଟ ଇଣ୍ଡିଜ୍ କ୍ରମାନ୍ୱୟରେ ୬ଟି ଦିନିକିଆ ପରାଜିତ ହୋଇ ଚିନ୍ତାରେ ରହିଛି । ଭାରତକୁ ହରାଇବାକୁ ହେଲେ ଦଳଗତ ପ୍ରଦର୍ଶନ କରିବାକୁ ହେବ । ତେଣୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିପାରିଲେ ଘରୋଇ ଦଳ ବିଜୟ ସ୍ୱାଦ ଚାଖିବ । ଜେସନ ହୋଲ୍ଡରଙ୍କ ପ୍ରତ୍ୟାବର୍ତ୍ତନ ଦିନିକିଆ ଦଳକୁ ସନ୍ତୁଳିତ କରିଛି ।
ଆଜିର ମ୍ୟାଚ୍ ହେବାକୁ ଥିବା କୁଇନ୍ସପାର୍କ ଓଭାଲ୍ ଗ୍ରାଉଣ୍ଡରେ ଭାରତ ଖେଳିଥିବା ଶେଷ ୯ଟି ଦିନିକିଆ ମଧ୍ୟରୁ ୮ଟିରେ ବିଜୟୀ ହୋଇଛି । ଅନ୍ୟ ମ୍ୟାଚ୍ଟି ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା । ଗୁରୁବାର ମଧ୍ୟ ବର୍ଷା ଯୋଗୁ ଭାରତୀୟ ଦଳ ଇନ୍ଡୋର୍ ହଲ୍ରେ ଅଭ୍ୟାସ କରିଥିଲା। ଆଜିର ମ୍ୟାଚରେ ମଧ୍ୟ ବର୍ଷା ଆଶଙ୍କା ରହିଛି ।





