କଲମ୍ବୋ: ଶ୍ରୀଲଙ୍କା ରେ ଜାରୀ ରହିଛି ସଂକଟ ସ୍ଥିତି । ନୂଆ ରାଷ୍ଟ୍ରପତି ଓ ସରକାର ମିଳିବା ସତ୍ତେ୍ୱ ଥମୁନି ଜନ ଆନ୍ଦୋଳନ । ନୂଆ ସରକାରକୁ ତୀବ୍ର ବିରୋଧ କରି ପୁଣି ଆକ୍ରାମକ ପାଲଟିଛନ୍ତି ବିକ୍ଷୋଭକାରୀ । ତେବେ କିନ୍ତୁ ଏଥର ଆକ୍ସନମୁଡ୍ ରେ ସେନା । ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀ କଲମ୍ବୋରେ ବିକ୍ଷୋଭକାରୀଙ୍କୁ ତଡ଼ିବା ସହ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି ।
ଏଥିରେ କିଛି ଲୋକ ଆହତ ହୋଇଛନ୍ତି । ୨ ସାମ୍ବାଦିକଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ଗୁରୁବାର ଦେଶର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାନିଲ ବିକ୍ରମସିଂହେ ଲୋକଙ୍କୁ ଶାନ୍ତି ବଜାୟ ପାଇଁ ଅପିଲ୍ କରିଥିଲେ । ଆଇନକୁ ହାତମୁଠାକୁ ନ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏମିତି କି ବିକ୍ଷୋଭକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନେଇ ଚେତାବନୀ ବି ଦେଇଥିଲେ । ଏହାର କିଛିଘଣ୍ଟା ପରେ ଆକ୍ସନ୍କୁ ଆସିଥିଲା ସେନା । କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ବନାଇଥିଲା । ସେନା ନିଜ ରଣନୀତି ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଆନ୍ଦୋଳନକାରୀଙ୍କ ଉପରେ ଝପଟି ପଡ଼ିଥିଲା । ସଂସଦ ବାହାରେ ସେମାନେ ଲଗାଇଥିବା ଟେଣ୍ଟଗୁଡ଼ିକୁ ଫିଙ୍ଗିଦେଇଥିଲା । ସେନାର ଏଭଳି ରୂପ ଦେଖି ଆନ୍ଦୋଳନକାରୀ ଛାନିଆରେ ଦୌଡ଼ିବାକୁ ଲାଗିଥିଲେ ।
ଉଲ୍ଲେଖଯୋଗ୍ୟ, ବିକ୍ରମସିଂହେ ସରକାରଙ୍କୁ ଅନେକ ସଂଗଠନ ବିରୋଧ କରୁଛନ୍ତି । ଗୁରୁବାର ସେ ଶପଥ ନେବା ପରେ ସେମାନେ ସ୍ଲୋଗାନ୍ବାଜି ଆରମ୍ଭ କରିଦେଇଥିଲେ ।
