ଝିଅକୁ ବଞ୍ଚାଇବାକୁ ଯାଇ ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ ଅଘଟଣ । ପାରିବାରିକ କଳହ ଜଣଙ୍କ ମୁଣ୍ଡ ନେଇଛି । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ୍ୟୁ ଘଟିଛି । ସାମାନ୍ୟ ବଚସାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ନାମ ପର୍ଶୁରାମ ବାରିକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପର୍ଶୁରାମଙ୍କ ସାନ ଝିଅ ସୁଲୋଚନା ବେହେରା, ସେହି ଗାଁର ରମଣ ବେହେରାଙ୍କୁ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୱାଇଁ ରମଣ ବେହେରା ତାଙ୍କ ଝିଅକୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାକୁ ନେଇ ଶାଶୁ ଓ ଶ୍ୱଶୁର ମିଶି ଜ୍ୱାଇଁଙ୍କୁ ବୁଝାସୁଝା କରିବାକୁ ଘରକୁ ଯାଇଥିଲେ। କିନ୍ତୁ ଜ୍ୱାଇଁ ରମଣ ବେହେରା ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି କରିବା ସହ ଅତର୍କିତ ଭାବେ ଏକ ଟାଙ୍କିଆରେ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କୁ ବେକ ଓ ଜଙ୍ଘରେ ଗଭୀର କ୍ଷତ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଭାବେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି ।

ସେପଟେ ହତ୍ୟାକାରୀ ଜ୍ୱାଇଁ ରମଣ ବେହେରା ଘଟଣାସ୍ଥଳରୁ ଫେରାର ଥିବା ବେଳେ ପରଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts