ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ଶିବସେନା ନେତା ସଞ୍ଜୟ ରାଉତ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ୫୬ ବର୍ଷ ପୂର୍ବରୁ ବାଲାସାହେବ ହିନ୍ଦୁତ୍ବକୁ ନଜରରେ ରଖି ଶିବସେନାର ସ୍ଥାପନା କରିଥିଲେ। ଏବେ ଏହା ଉପରେ ନିର୍ବାଚନ ଆୟୋଗ ପ୍ରଶ୍ନ ଉଠାଇଛନ୍ତି। ଯାହାକି ମହାରାଷ୍ଟ୍ରର ଲୋକଙ୍କ ପାଇଁ ଅତ୍ୟନ୍ତ ବିସ୍ମୟକର ଅଟେ।ତେବେ ସଞ୍ଜୟ ରାଉତଙ୍କ ଏଭଳି ପ୍ରତିକ୍ରିୟା ନିର୍ବାଚନ ଆୟୋଗର ସେହି ଆଦେଶ ପରେ ଆସିଛି, ଯେଉଁଥିରେ ସିନ୍ଦେ ଓ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରୁ ଶିବସେନା ନେତାଙ୍କର ବହୁମତ ପ୍ରମାଣ କରିବାର ତଥ୍ୟ ମାଗିଥିଲେ।ସଞ୍ଜୟ ରାଉତ କହିଛନ୍ତି ଆଜି ଶିବସେନାରେ ଏକମାତ୍ର ନେତା ହେଉଛନ୍ତି ଉଦ୍ଧବ ଠାକରେ। ସେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀର କେନ୍ଦ୍ର ସରକାର ଆମ ଦଳକୁ ଶେଷ କରିବାକୁ ଚାହୁଁଛି। ସେପଟେ ନିର୍ବାଚନ ଆୟୋଗ ନିର୍ବାଚନି ଚିହ୍ନ (ରିଜର୍ଭେସନ୍ ଓ ଆଲଟମେଣ୍ଟ) ଆଦେଶ ୧୯୬୮ର ଅନୁଚ୍ଛେଦ ୧୫ ଅନୁଯାୟୀ ଦୁଇପକ୍ଷଙ୍କୁ ଜରୁରୀ ତଥ୍ୟ ବା କାଗଜପତ୍ର ମାଗିଛନ୍ତି। ଏହା ପଛରେ ସେ ଲୋକସଭା ଏବଂ ମହାରାଷ୍ଟ୍ର ବିଧାନସଭାରେ ଉପସ୍ଥିତ ଥିବା ସଂଖ୍ୟାଗୁଡ଼ିକର ଆଧାର ପ୍ରସ୍ତୁତ କରିଛନ୍ତି।
ସୂଚନା ଥାଉକି ଗତ ମାସରେ, ଶିବସେନାର ଦୁଇ ତୃତୀୟାଂଶ ବିଧାୟକଙ୍କ ବିଦ୍ରୋହ କରିଥିଲେ। ଏହି ବିଧାୟକମାନେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗୌହାଟି ଯାଇଥିଲେ। ଏହାର କିଛି ଦିନ ପରେ ସିନ୍ଦେଙ୍କ ଗୋଷ୍ଠୀ ଉଦ୍ଧବ ଠାକରେ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିନେଲେ ଏବଂ ସରକାରରୁ ଓହରିଗଲେ। ଏହା ପରେ ଏକନାଥ ସିନ୍ଦେଙ୍କୁ ବିଜେପିର ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଠନ କରିବା ସହଜ ହୋଇଥିଲା। ବର୍ତ୍ତମାନ ଦଳର ନାମ ଏବଂ ପ୍ରତୀକକୁ ନେଇ ଠାକରେ ଏବଂ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି।
