ରାଷ୍ଟ୍ରପତି କୋବିନ୍ଦଙ୍କ ସଂସଦରେ ଶେଷ ଅଭିଭାଷଣ; “ସେବା କରିବାକୁ ସୁଯୋଗ ଦେଇଥିବାରୁ ଦେଶବାସୀଙ୍କ ନିକଟରେ ସବୁବେଳେ କୃତଜ୍ଞ ରହିବି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଅର୍ଥାତ ରବିବାର ମଧ୍ୟରାତ୍ରୀରେ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏଥିପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସଂସଦ ଭବନ ପରିସରରେ ବିଦାୟୀ ସମ୍ବର୍ଧନା ଦିଆଯାଇଛି । ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ସାଂସଦ ମାନେ ଉପସ୍ଥିତ ରହି ରାମନାଥ କୋବିନ୍ଦଙ୍କୁ ବିଦାୟୀ କାଳିନ ସମ୍ବର୍ଧନା ଦେଇଛନ୍ତି ।ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇ କହିଛନ୍ତି, ଦଳଗତ ମନୋବୃତ୍ତିରୁ ଉପରକୁ ଉଠି ସବୁ ଦଳ କାମ କରିବା ଦରକାର ବୋଲି ରାମନାଥ କହିଛନ୍ତି । ସବୁ ସାଂସଦଙ୍କ ପ୍ରତି ତାଙ୍କର ସ୍ବତନ୍ତ୍ର ସମ୍ମାନ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଦାୟ ସମାରୋହକୁ ସମ୍ବୋଧିତ କରି କହିଛନ୍ତି, ଆଜି ସମସ୍ତଙ୍କଠାରୁ ବିଦାୟ ନେଉଛି । ସମ୍ପୂର୍ଣ୍ଣ କ୍ଷମତା ସହକାରେ କର୍ତ୍ତବ୍ୟର ନିର୍ବାହ କରିଛି । ଦେଶର ସେବା କରିବାକୁ ମୋତେ ଯେଉଁ ସୁଯୋଗ ମିଳିଥିଲା, ସେଥିପାଇଁ ଦେଶବାସୀଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବି । ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର । ଆଜି ଦେଶ ବିକାଶ ଦିଗରେ ଅଗ୍ରସର ହେଉଛି, ବିରୋଧୀ ଦଳଗୁଡିକୁ ମଧ୍ୟ ଜାତିଗତ ଏବଂ ପରିବାରବାଦ ରାଜନୀତିରୁ ଉର୍ଦ୍ଧ୍ୱକୁ ଯିବାର ଆବଶ୍ୟକତା ରହିଛି ।

ଯଦି ଆପଣ ସରକାରଙ୍କ କୌଣସି ନୀତିକୁ ନେଇ ଅସହମତି ଅଛନ୍ତି ତେବେ ସମ୍ବିଧାନରେ ଆପଣଙ୍କୁ ବିରୋଧ କରିବାର ଅଧିକାର ରହିଛି । ମହାତ୍ମା ଗାନ୍ଧୀ ବିରୋଧ ପ୍ରଦର୍ଶନ କରିବା ପାଇଁ ଦେଶକୁ ଅହିଂସାର ରାସ୍ତା ଦେଖାଇଥିଲେ । ଆମେ ତାଙ୍କ ବିଚାର ଏବଂ ଶିକ୍ଷାକୁ ମନେ ରଖିବାର ଆବଶ୍ୟକ ରହିଛି ।ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହ ଜୁଝୁଛି ।

ଆମେ ସମସ୍ତଙ୍କୁ ମହାମାରୀ ଏକ ଶିକ୍ଷା ଦେଇଛି । ଆମେ ଭୁଲିଯାଇଛି ଯେ ସମସ୍ତେ ଆମେ ପ୍ରକୃତିର ଅଂଶବିଶେଷ ବୋଲି । ଏଥିସହିତ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କୋବିନ୍ଦ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ଅଧ୍ୟକ୍ଷ ଓମ ବିରଲା ଏବଂ ସଂସଦର ଦୁଇ ଗୃହର ସାଂସଦମାନେ ମଧ୍ୟ ସାମିଲ ରହିଥିଲେ ।

Related Posts