ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନର ବାରମେରରେ ଆଜି ଭାରତୀୟ ବାୟୁସେନାର ଏକ ମିଗ-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ଦୁଇ ଜଣ ପାଇଲଟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପାଇଲଟ ଦ୍ବୟଙ୍କ ମୃତ୍ୟୁ ସଂପର୍କରେ ସ୍ଥାନୀୟ ଜିଲ୍ଲାପାଳ ଲୋକବନ୍ଧୁ ଯାଦବ ସ୍ପଷ୍ଟ କରିଥିବା ଜଣାଯାଇଛି ।
ସୂଚନା ଅନୁସାରେ ବିମାନଟି ରାତି ପ୍ରାୟ ୯ଟା ବେଳେ ବାରମେର ଉପରେ ଉଡ଼ୁଥିବାବେଳେ ଭାମରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରାୟ ଅଧ କିଲୋମିଟର ଅଂଚଳରେ ବିମାନର ବିଭିନ୍ନ ଅଂଶ ବିଶେଷ ପଡ଼ିରହିଥିଲା । ବିମାନର ମୁଖ୍ୟ ଅଂଶ ଏକ ଜମିରେ ପଡ଼ିଥିଲା ଓ ତାହାର ନିଆଁ ବହୁ ଦୂରକୁ ଦେଖାଯାଉଥିଲା ।
ଭାରତୀୟ ବାୟୁସେନା ଜୀବନ ହରାଇଥିବା ଦୁଇ ପାଇଲଟଙ୍କ ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛି ବୋଲି ଟୁଇଟ କରି କହିଛି | ଅନ୍ୟ ପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭାରତୀୟ ବାୟୁସେନା ଏକ ବିବୃତ୍ତି ଜାରି କରି କହିଛି। ସେପଟେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ ମୃତ ୨ ପାଇଲଟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।