୯୦ତମ ବାୟୁସେନା ଦିବସ; ଭାରତୀୟ ବାୟୁସେନା ଯବାନଙ୍କ ପାଇଁ ପ୍ରଚଳନ ହେଲା ନୂଆ ୟୁନିଫର୍ମ

ଭୂଆବେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ୯୦ତମ ବାୟୁସେନା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା। ଏହି ଅବସରରେ ବାୟୁସେନା ଯବାନଙ୍କ ପାଇଁ ନୂଆ ଧରଣର ‘କମ୍ବାଟ୍‌ ୟୁନିଫର୍ମ’ ପ୍ରଚଳନ କରିଛି। ‘ଡିଜିଟାଲ୍‌ କେମୋଫ୍ଲଜ୍‌ ୟୁନିଫର୍ମ’ କୁହାଯାଉଥିବା ଏହି ୟୁନିଫର୍ମର ‘ଫାଷ୍ଟ୍‌ ଲୁକ୍‌’କୁ ଏୟାର୍‌ ଚିଫ୍‌ ମାର୍ସାଲ୍‌ ବିବେକ ରାମ ଚୌଧରୀ ଉନ୍ମୋଚନ କରିଥିଲେ।

ତେବେ ଚଳିତ ଥର ପ୍ରଥମ କରି ଦିଲ୍ଲୀ ବାହାରେ ବାୟୁସେନା ଦିବସ ପାଳନ କରାଯାଉଛି।ଚଳିତ ବର୍ଷ ପ୍ରାରମ୍ଭରେ ଭାରତୀୟ ସେନା ମଧ୍ୟ ତା’ର ଯବାନମାନଙ୍କ ପାଇଁ ‘ଡିଜିଟାଲ୍‌ କେମୋଫ୍ଲଜ୍‌ ୟୁନିଫର୍ମ’ ପ୍ରଚଳନ କରିଥିଲା। ଏହି ନୂଆ ୟୁନିଫର୍ମ ପୂର୍ବ ୟୁନିଫର୍ମଠାରୁ ଭିନ୍ନ। ଏଥିରେ ପୁରଣା ‘ଅର୍ଗାନିକ୍‌ ପ୍ୟାଟର୍ଣ୍ଣ’ ପରିବର୍ତ୍ତେ ‘ପିକ୍ସେଲେଟେଡ୍‌ ଡିଜାଇନ୍‌’ କରାଯାଇଛି। ବିଶ୍ବର ସବୁ ଲଢୁଆ ବଳ ଏବଂ ସେନା ‘ଡିଜିଟାଲ୍‌ କେମୋଫ୍ଲଜ୍‌ ୟୁନିଫର୍ମ’ ପିନ୍ଧିଲେଣି।

ସୂଚନାଯୋଗ୍ୟ ଯେ, ଇଂଲଣ୍ଡ୍‌ର ‘ରୟାଲ୍‌ ଏୟାର୍‌ ଫୋର୍ସ’ର ସହକାରୀ ବଳ ଭାବେ ୧୯୩୨ ମସିହାରେ ଔପଚାରିକ ଭାବେ ‘ଆଇଏଫ୍‌’ ଆରମ୍ଭ କରାଯାଇଥିଲା। ଭାରତୀୟ ବାୟୁସେନା ମୁଖ୍ୟ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଦିନକୁ ପାଳନ କରାଯାଏ।

ଏନେଇ ଜଣେ ବାୟୁସେନା ଅଧିକାରୀ କହିଛନ୍ତି, ଆମେ ଆଗରୁ ‘କମ୍ବାଟ୍‌ ୟୁନିଫର୍ମ’ ପିନ୍ଧି ସାରିଛୁ। କିନ୍ତୁ, ତା’ର ପ୍ୟାଟର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ଏବେ ତାହାକୁ ‘ଡିଜିଟାଲ୍‌ କେମୋଫ୍ଲଜ୍‌ ୟୁନିଫର୍ମ’ କହୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆଜିର ‘ଫ୍ଲାଇପାଷ୍ଟ୍‌’ରେ ପ୍ରାୟ ୮୦ଟି ହେଲିକପ୍ଟର୍‌ ଏବଂ ପରିବହନକାରୀ ବିମାନ ଅଂଶ ଗ୍ରହଣ କରୁଛନ୍ତି। ଚଣ୍ଡୀଗଡ଼ର ସୁଖନା ହ୍ରଦ ଉପରେ ‘ଫ୍ଲାଇପାଷ୍ଟ୍‌’ ପ୍ରଦର୍ଶନ ଚାଲିଛି। ନିକଟରେ ବାୟୁସେନାରେ ସାମିଲ‌ ହୋଇଥିବା ହାଲୁକା ଲଢୁଆ ହେଲିକପ୍ଟର୍‌ ‘ପ୍ରଚଣ୍ଡ’ ବି ଏହି ‘ଫ୍ଲାଇପାଷ୍ଟ୍‌’ରେ ଅଂଶ ଗ୍ରହଣ କରିଛି।

Related Posts