ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଦୁରୀ। ଏହି ମାମଲା ରେ ତାଙ୍କୁ ଗୁରୁବାର ଜାତୀୟ ମହିଳା କମିଶନ ସମନ୍ ଜାରି କରିଛନ୍ତି। ଅଗଷ୍ଟ ୩ ତାରିଖରେ କମିଶନଙ୍କ ପାଖରେ ହାଜର ହୋଇ ନିଜ ମନ୍ତବ୍ୟ ବିଷୟରେ ସ୍ପଷ୍ଟୀକରଣ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ଏହା ସହିତ ଅଧିର ରଞ୍ଜନଙ୍କ ମନ୍ତବ୍ୟକୁ ଅପମାନ ଜନକ ଓ ରାଷ୍ଟ୍ରପତିଙ୍କୁ ଅପମାନିତ କରିବାର ପ୍ରୟାସ ବୋଲି ମଧ୍ୟ କମିଶନ ନିଜର ଏକ ବିବୃତି ରେ କହିଛନ୍ତି।

ସୂଚନା ଅନୁସାରେ ସୋନିଆ ଗାନ୍ଧିଙ୍କୁ ଇଡି ଜେରା କରିବା ପ୍ରତିବାଦ ରେ କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରାଯାଉଥିଲା। ଏହି ବିରୋଧ ବେଳେ ଅଧିର ରଞ୍ଜନ ଓ ଆଉ କିଛି କଂଗ୍ରେସ ନେତା ରାଷ୍ଟ୍ରପତି ଭବନ ଆଡ଼କୁ ବିରୋଧ କରିବାକୁ ଅଗ୍ରସର ହେଉଥିଲେ। ଏହି ସମୟରେ ପୁଲିସ ତାଙ୍କୁ ସେଠାରେ ଅଟକାଇ ଥିଲା ଓ ସେହି ସମୟରେ ଏକ ଘରୋଇ ଟିଭି ଚ୍ୟାନେଲ କୁ ପ୍ରତିକ୍ରିୟା ଦେଇ ଅଧିର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ରୂପେ ସମ୍ବୋଧନ କରିଥିଲେ। ତେବେ ଏହି ମନ୍ତବ୍ୟ ସାମ୍ନାକୁ ଆସିବ ପରେ ବିଜେପି ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି ଓ ଏହି ଘଟଣାକୁ ନେଇ ଗତକାଲି ଲୋକସଭାରେ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ ଏବଂ ଘଟଣା ପାଇଁ ସୋନିଆ କ୍ଷମା ମାଗିବା ସହିତ ଅଧିର ରଞ୍ଜନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।