ରାଜୀବ କୁମାରଙ୍କୁ ଗିରଫଦାରୀରୁ ଆଶ୍ବସ୍ତି, କିନ୍ତୁ CBI ସାମ୍ନାରେ ହାଜର ହେବେ:ସୁପ୍ରିମକୋର୍ଟ

ମମତା-ମୋଦି, କୋଲକାତା ପୋଲିସ୍‌ ଓ ସିବିଆଇ ମଧ୍ୟରେ ଗତ ପ୍ରାୟ ତିନି ଦିନ ହେଲା ଚାଲିଥିବା ସଂଘର୍ଷ ନେଇ ସୁପ୍ରିମକୋର୍ଟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଶୁଣାଣି । ସିବିଆଇ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କୋଲକାତା ପୋଲିସ କମିସନର ରାଜୀବ କୁମାରଙ୍କୁ ସିବିଆଇ ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୋଗୋଇ କହିଛନ୍ତି କୋଲକାତା ପୋଲିସ୍‌ କମିସନର ରାଜୀବ କୁମାରଙ୍କୁ ସିବିଆଇ ଆଗରେ ହାଜର ହେବା କଥା, ସେ ଯାଂଚରେ ସହଯୋଗ କରିବା କଥା । କିନ୍ତୁ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ।

ଓକିଲଙ୍କ ଭିତରେ କଥା କଟାକଟି

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଂହବୀ କହିଲେ ଯେ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିବାକୁ ଚାହୁଁଛି, ଯାହା ଉପରେ ସିବିଆଇ ଓକିଲ କହିଲେ ଯେ ଆପଣ ଖୁବ୍‌ ଅଧିକ କଳ୍ପନା କରୁଛନ୍ତି । ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ଯେ ପୋଲିସ୍‌ କମିସନରଙ୍କୁ ସିଲଂରେ ସିବିଆଇ ଆଗରେ ହାଜର ହେବାକୁ ପଡ଼ିବ ।

ଆମର ନୈତିକ ବିଜୟ ହୋଇଛି:ମମତା ବାନାର୍ଜୀ

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ତିନି ଦିନ ହେଲା ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନିଜର ନୈତିକ ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ସମ୍ବିଧାନର ଉଲ୍ଲଂଘନ କରୁଛନ୍ତି । ଆମେ ସୁପ୍ରିମକୋର୍ଟଙ୍କ ଆଦେଶର ପାଳନ କରିବୁ । ସେ କହିଲେ ଯେ ଏହି ଦେଶରେ କେହି ବିଗ୍‌ ବସ୍‌ ହୋଇପାରିବେ ନାହିଁ । କେବଳ ଗଣତନ୍ତ୍ର ହେଉଛି ବିଗ୍‌ ବସ୍‌ । ମମତା ବାନାର୍ଜୀ କହିଲେ ଯେ କେନ୍ଦ୍ର ସରକାରଙ୍କ ବିରୋଧ କରିବାରୁ ତାଙ୍କୁ ସମାଲୋଚନା କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପଶ୍ଚିମବଙ୍ଗର ଜନତା, ଦେଶର ଜନତା ଓ ଗଣମାଧ୍ୟମର ବିଜୟ ।

20 ଫେବ୍ରୁୟାରୀରେ ହେବ ପରବର୍ତ୍ତୀ ଶୁଣାଣି

ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 20 ତାରିଖରେ ହେବ । ସୁପ୍ରିମକୋର୍ଟ ପକ୍ଷରୁ ଅଦାଲତ ଅବମାନନା ମାମଲାରେ ନୋଟିସ୍‌ ଜାରି କରିଦିଆଯାଇଛି । ଫେବ୍ରୁଆରୀ 18 ତାରିଖ ସୁଦ୍ଧା ଏହାର ଜବାବ୍‌ ଦାଖଲ କରିବାକୁ ହେବ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଲେ ଯେ ଡିଜିପି, ପୋଲିସ କମିସନର ଓ ମୁଖ୍ୟ ସଚିବଙ୍କୁ ଫେବ୍ରୁଆରୀ 20 ତାରିଖର ଶୁଣାଣିରେ ଅଦାଲତରେ ହାଜର ହେବାକୁ ପଡ଼ିବ ।

Related Posts