
କୋଲକାତା ପୋଲିସ୍ କମିସନର ବନାମ ସିବିଆଇ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଲେ ରାଜୀବ କୁମାରଙ୍କୁ ପଚରାଉଚୁରାର ସାମ୍ନା କରିବାରେ ସମସ୍ୟା ରହିବା ଉଚିତ ନୁହେଁ । ଅନ୍ୟପଟେ ମୁଖ୍ୟ ବିଚାରପତି ସିବିଆଇକୁ କହିଲେ ଯେ ଆମେ ନୋଟିସ୍ ଜାରି ନ କରି କେହି ଅବମାନନା କରିଛି ବୋଲି କହିପାରିବା ନାହିଁ । ଅବମାନନା କରାଯାଇଛି ବୋଲି କହିବା ପୂର୍ବରୁ ଅନ୍ୟ ପକ୍ଷକୁ ବି ଶୁଣିବାକୁ ହେବ ।
‘ପ୍ରମାଣ ଏପଟ ସେପଟ କରାଯାଇଛି’
ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ୍ କହିଲେ ଯେ ପ୍ରମାଣ ହେରଫେର କରାଯାଇଛି । ସୁପିପ୍ତୋ ରାୟଙ୍କୁ ଜମ୍ମୁ-କାଶ୍ମୀରରୁ ଗିରଫ କରାଗଲା । ତାଙ୍କ ପାଖରୁ ଲାପଟପ୍ ଓ ମୋବାଇଲ୍ ମିଳିଥିଲା । ସେଥିରୁ ଯେଉଁ ଡାଟା ମିଳିଲା, ତାକୁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇନଥିଲା । ସିବିଆଇକୁ ଦିଆଯାଇଥିବା ପ୍ରମାଣ ଅଧୁରା ଥିଲା । କଲ୍ ଡିଟେଲ୍ସ ବାବଦରେ ମଧ୍ୟ ସୂଚନା ଦିଆଯାଇନଥିଲା । ଆଟର୍ଣ୍ଣି ଜେନେରାଲ୍ କହିଲେ ଯେ ସିବିଆଇ ରୁଜୁ ହୋଇଥିବା ଏଫ୍ଆଇଆର୍ ଉପରେ କାର୍ଯ୍ୟାନୁଷ୍ଠାନ କଲା । ଏଫ୍ଆଇଆର୍ ରୋଜଭ୍ୟାଲି ବିରୋଧରେ ଥିଲା ।
ସିବିଆଇ ପକ୍ଷରୁ କୁହାଗଲା ଯେ ଏସ୍ଆଇଟି ପକ୍ଷରୁ ସଠିକ୍ ଭାବେ ତଦନ୍ତ କରାଯାଇନାହିଁ । ତଦନ୍ତ ସମୟରେ ଟିଏମ୍ସି ସହ ସମ୍ପର୍କିତ ଲୋକଙ୍କର ଯାଂଚ କରାଯାଇନାହିଁ । ସିବିଆଇ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ କଲା । ସମନ ଆଧାରରେ ଆମେ ଏସ୍ଆଇଟି ପାଖକୁ ଗଲୁ, କାରଣ ସିବିଆଇକୁ ସବୁ ଦସ୍ତାବିଜ୍ ହସ୍ତାନ୍ତର କରାଯାଇନଥିଲା । ସିବିଆଇ କହିଲା ଯେ ଏସ୍ଆଇଟି ପ୍ରମୁଖ ଡିଜିପି ଥିଲେ, କିନ୍ତୁ ରାଜୀବ କୁମାର ହିଁ ସବୁ ସଂଚାଳନା କରୁଥିଲ ।
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଂହବୀ କହିଲେ ଯେ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିବାକୁ ଚାହୁଁଛି, ଯାହା ଉପରେ ସିବିଆଇ ଓକିଲ କହିଲେ ଯେ ଆପଣ ଖୁବ୍ ଅଧିକ କଳ୍ପନା କରୁଛନ୍ତି । ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ଯେ ପୋଲିସ୍ କମିସନରଙ୍କୁ ସିଲଂରେ ସିବିଆଇ ଆଗରେ ହାଜର ହେବାକୁ ପଡ଼ିବ ।