ଉମରକୋଟ : ଗାଁ ରେ ବ୍ୟାପିଲା ଝାଡାବାନ୍ତି ଆତଙ୍କ । ଏକାଦଶ ଭୋଜି ଖାଇ ଦୁଇ ଗାଁ ର ୧୧୭ ଜଣରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାର ୟୁଭି-୧୩ର ଜାମରୁଣ୍ଡା ଗାଁ ଓ ପଡ଼େଇଗୁଡ଼ା ଗାଁରେ ଘଟିଛି ଏହି ଘଟଣା । ଗୁରୁତର ଅସୁସ୍ଥଙ୍କୁ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ମେଡିକାଲ ଟିମ୍ ପହଞ୍ଚି ଅନ୍ୟ ଅସୁସ୍ଥଙ୍କ ଚିକିତ୍ସା କରୁଛନ୍ତି।

ଗତ ଶନିବାର ୟୁଭି- ୧୩ ଜାମରୁଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଏକାଦଶ ଭୋଜି ଥିଲା। ଦୁଇଟି ଗାଁର ଲୋକେ ଏହି ଭୋଜି ଖାଇଥିଲେ। ରବିବାର ଦିନ ସକାଳେ ଜଣଙ୍କ ପରେ ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା। କେତେଜଣ ଗ୍ରାମବାସୀଙ୍କ ମୁଣ୍ଡ ମଧ୍ୟ ବୁଲାଇଥିଲା। ଗୁରୁତରଙ୍କୁ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଆଶା କର୍ମୀ ଓ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ ଗ୍ରାମବାସୀ। ଗତକାଲି ରାତିରେ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଭୟ କୁମାର ଦେଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‌ ଗାଁରେ ପହଞ୍ଚି ଲୋକଙ୍କର ଚିକିତ୍ସା ଜାରି ରଖିଛନ୍ତି।

ଫୁଡ୍‌ ପଏଜନ ଯୋଗୁ ଏପରି ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ପାଣି ନମୂନା, ଆକ୍ରାନ୍ତଙ୍କ ଝାଡ଼ା ଓ ପରିତ୍ସା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି ।