ଅଚ୍ୟୁତପୁରମ୍‌: ମଙ୍ଗଳବାର ବିଳମ୍ବିତ ସଂଧ୍ୟାରେ ଆନ୍ଧ୍ରପ୍ରଦେଶର ଅଚ୍ୟୁତପୁରମ୍‌ରେ ଅଘଟଣ ଘଟିଛି । ଗୋଟାଏ କମ୍ପାନିରେ ବିଷାକ୍ତ ବାଷ୍ପ ଲିକ୍‌ ହୋଇଛି । ଫଳରେ ସେଠାରେ କାମ କରୁଥିବା ପ୍ରାୟ ୫୦ଜଣ ମହିଳା କର୍ମଚାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଅନକପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଅଚ୍ୟୁତପୁରମ୍‌ରେ ଥବିା ‘ବ୍ରାଣ୍ଡିକ୍ସ ସ୍ପେସାଲ୍‌ ଇକୋନୋମିକ୍ ଜୋନ୍‌’ରେ ‘କ୍ବାଣ୍ଟମ୍‌ ସିଡ୍‌ସ୍‌’ କମ୍ପାନିରୁ ବିଷାକ୍ତ ବାଷ୍ପ ଲିକ୍‌ ହେବାରୁ ତା’ ପାଖରେ ଥିବା ଏକ ପୋଷାକ ତିଆରି ୟୁନିଟ୍‌ରେ କାର୍ଯ୍ୟରତ ପ୍ରାୟ ୫୦ଜଣ ମହିଳା କର୍ମଚାରୀ ବାନ୍ତି କରିବା ସହ ଚେତା ହରଇଥିଲେ।

ଚିକିତ୍ସା ନିମନ୍ତେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଅନକପଲ୍ଲୀର ଜିଲ୍ଲା ମେଡିକାଲ୍‌ ତଥା ସ୍ବାସ୍ଥ୍ୟ ଅଧିକାରୀ ହେମନ୍ତ କହିଛନ୍ତି, ସମ୍ପ୍ରତି ୫୩ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ଚାଲିଛି ଏବଂ ସେମାନେ ଅପେକ୍ଷାକୃତ ଭଲ ଅଛନ୍ତି। ଅଧିକାଂଶଙ୍କଠାର ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ, ଦେହ ଚୋଇବା ଏବଂ ବାନ୍ତି ଆଦି ଲକ୍ଷଣ ଦେଖାଦେଇଥିଲା।

ଅନକପଲ୍ଲୀ ପୁଲିସ ଇନ୍‌ସ୍‌ପେକ୍ଟର୍‌ଙ୍କ କହିବା ଅନୁସାରେ, ଘଟଣାଟି ସନ୍ଧ୍ୟା ୬.୧୫ରୁ ୭ ମଧ୍ୟରେ ଘଟିଛି। ଅପରାହ୍ଣ ୨ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ କାରଖାନରେ ଚାଲିଥିବା ଦ୍ବିତୀୟ ସିଫ୍ଟ୍‌ରେ ପ୍ରାୟ ୧୦୦୦ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ପ୍ରାୟ ୫୦ଜଣ ମହିଳା କର୍ମଚାରୀ ଅସୁସ୍ଥତା ଅନୁଭବ କରୁଥିବା କଥା ଜଣାଇଥିଲେ।

ବାକି କର୍ମଚାରୀମାନଙ୍କୁ କାରଖାନାରୁ ସ୍ଥାନାନ୍ତର କରାଯାଇଥିଲା। ପରସ୍ଥିତି ନିୟନ୍ତ୍ରଣାଧୀନ ଅଛି। କମ୍ପାନିରୁ ଗ୍ୟାସ୍‌ ଲିକ୍‌ ହେବା ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି ।