ନୂଆଦିଲ୍ଲୀ: ଚୀନକୁ ମୁହଁ ତୋଡ ଜବାବ୍ ଦେବ ଭାରତ । ଭାରତ ଓ ଆମେରିକା ସେନା ମିଳିତଭାବେ ଚୀନକୁ କାଉଣ୍ଟର କରିବେ ।ଅକ୍ଟୋବରରେ ଉତ୍ତରାଖଣ୍ଡର ଓଲୀରେ ଯୁଦ୍ଧାଭ୍ୟାସ କରିବେ । ଏହି ଅଞ୍ଚଳ ଚୀନ ସୀମାଠୁ ମାତ୍ର କେଇ କିମି ଦୂରରେ ରହିଛି । ତେବେ ଏହା ଭାରତ-ଆମେରିକାର ମଧ୍ୟରେ ୧୮ତମ ଯୁଦ୍ଧାଭ୍ୟାସ ହେବ । ପ୍ରତିବର୍ଷ ଏହା ଭାରତ କିମ୍ବା ୟୁଏସରେ ହୋଇଥାଏ । ଗତବର୍ଷ ଏହା ଆମେରିକାରେ ହୋଇଥିଲା ।
ରିପୋର୍ଟ ଅନୁସାରେ, ଅକ୍ଟୋବର ୧୪ରୁ ୩୧ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଏହି ସୈନ୍ୟାଭ୍ୟାସ ଅନୁଷ୍ଠିତ ହେବ । ଏହାଦ୍ୱାରା ଉଭୟ ଦେଶର ସେନା ମଧ୍ୟରେ ରଣନୀତି ଆଦାନ ପ୍ରଦାନ ହେବ । ଗତ କିଛି ଦିନ ଧରି ଉଭୟ ଦେଶର ପ୍ରତିରକ୍ଷା ସମ୍ପର୍କ ମଜବୁତ ହେଉଛି । ୨୦୧୬ରୁ ଆମେରିକା ଭାରତକୁ ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ନାମିତ କରିଥିଲା ।
କିଛି ବର୍ଷ ଧରି ଭାରତ ଆମେରିକାଠୁ ଅନେକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିଛି । ଏହାସହ ଲେମୋଆ ଚୁକ୍ତି ଅନୁସାରେ ଉଭୟ ପ୍ରତିରକ୍ଷା ମାମଲାରେ ଉଭୟଙ୍କର ସୈନ୍ୟଠିକଣାକୁ ବ୍ୟବହାର କରିପାରିବେ । ୨୦୧୮ରେ କମକାସା ଚୁକ୍ତି ମଧ୍ୟ ଉଭୟଙ୍କର ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
ଓଲୀରେ ଚୀନ୍ ସୈନ୍ୟଙ୍କ ବେଆଇନ କାର୍ଯ୍ୟକଳାପ
ଉତ୍ତରାଖଣ୍ଡର ଓଲୀରେ ଗତବର୍ଷ ଚୀନ ସୈନିକଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା । ଡ୍ରାଗନ୍ ସୈନ୍ୟ ଭାରତ ସୀମାର ୫ କିମି ମଧ୍ୟକୁ ପଶି ଆସିଥିଲେ । ତେବେ କିଛି ଘଣ୍ଟାପରେ ସେମାନେ ଫେରିଯାଇଥିଲେ ।
