ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଗଷ୍ଟ ୭ ତାରିଖରୁ ଅଗ୍ନିପଥ ଯୋଜନା ବିରୋଧୀ ଅଭିଯାନ ଆରମ୍ଭ ହେବ। ଏନେଇ ଘୋଷଣା କରିଛନ୍ତି ଭାରତୀୟ କିଶାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ। ଟିକାୟତ ବୁଧବାର ପଶ୍ଚିମ ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାର ଟିକିରି ଅଞ୍ଚଳରେ ଏକ କୃଷକ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି। ଏବଂ କୃଷକ ସମ୍ପ୍ରଦାୟର ସମର୍ଥନ ଲୋଡି ବି.କେ.ୟୁ ଜାତୀୟ ମୁଖପାତ୍ର ଘୋଷଣା କରିଛନ୍ତି ଯେ, ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ଅଗଷ୍ଟ ୭ରୁ ଅଭିଯାନ ଆରମ୍ଭ ହେବ ଓ ଏହି ଅଭିଯାନ ଏକ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ।

ଏହାସହ ନିକଟ ଅତୀତରେ ହୋଇଥିବା ଚାଷୀ ଆନ୍ଦୋଳନ ପରେ ଚାଷୀଙ୍କୁ ଭୟଭୀତ କରିବା ପାଇଁ ସେମାନଙ୍କ ବିରୋଧରେ ପୁରୁଣା ପୋଲିସ ମାମଲା ଖୋଲାଯାଇଥିବା ସେ ଅଭିଯୋଗ କରିଛନ୍ତି। ଟିକାୟତ କହିଛନ୍ତି, “ଯେତେବେଳେ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ ହେଲା, ସେତେବେଳେ ବିଜେପି ସଦସ୍ୟ ମାନଙ୍କ ବିରୋଧରେ ଥିବା ସମସ୍ତ ମାମଲା ବନ୍ଦ ହୋଇଯାଇଥିଲା। ତେଣୁ, ଚାଷୀଙ୍କ ବିରୋଧରେ ଥିବା ମାମଲା ୟୁପି ସରକାର ବନ୍ଦ୍ କରନ୍ତୁ ନହେଲେ ଆଉ ଏକ ଆନ୍ଦୋଳନର ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ହୁଅନ୍ତୁ।”

ଏହାସହ ଦେଶର ରାଜନୈତିକ ସ୍ଥିତି ବିଷୟରେ ଉଭୟ କେନ୍ଦ୍ର ଓ ୟୁପି ସରକାରକୁ ଟାର୍ଗେଟ କରି ଟିକାୟତ କହିଛନ୍ତି ଯେ, “ଲକ୍ଷ୍ନୌ ଏବଂ ଦିଲ୍ଲୀର ସରକାର ଭଲ ଭାବରେ ଜାଣି ରଖିବା ଉଚିତ୍। ଆପଣ ରାଜନୈତିକ ଦଳଙ୍କୁ ଭାଙ୍ଗି ପାରିବେ, ଆପଣ କୃଷକ ଗୋଷ୍ଠୀର ନେତାମାନଙ୍କୁ ଅଲଗା କରିପାରିବେ କିନ୍ତୁ ଦେଶର କୃଷକମାନଙ୍କୁ ଭାଙ୍ଗି ପାରିବେ ନାହିଁ। କୃଷକମାନେ ଆପଣଙ୍କ ବିରୋଧରେ ଏମିତି ବିରୋଧ ଜାରିରଖିବେ।”