ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ଖେଳାଳି । ଏହି କ୍ରମରେ ଭାରତୀୟ ଟେବୁଲ ଟେନିସର କିମ୍ବଦନ୍ତୀ ଖେଳାଳି ଶରତ କମଲ ଓ ଯୁବ ତାରକା ତଥା ଡେବ୍ୟୁଟାଣ୍ଟ ଶ୍ରୀଜା ଅକୁଳା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଶରତ କମଲ ଓ ଶ୍ରୀଜା ଯୋଡ଼ି ମିକ୍ସଡ ଡବଲ୍ସ ଇଭେଣ୍ଟରେ ଦେଶ ପାଇଁ ଏହି ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍ରେ ଏମାନଙ୍କ ମୁକାବିଲା ମାଲେସିୟାର ଜେଭେନ ଚୋଙ୍ଗ ଓ କାରେନ ଲୟନେଙ୍କ ସହ ହୋଇଥିଲା।
ମ୍ୟାଚ୍ର ଦ୍ୱିତୀୟ ସେଟକୁ ଛାଡ଼ି ଦେଲେ ଶରତ ଓ ଶ୍ରୀଜାଙ୍କ ଯୋଡ଼ି କମାଲ କରିଥିଲେ। ଏହି ଯୋଡ଼ି ଗୋଲ୍ଡ ମ୍ୟାଚ୍କୁ ୧୧-୪, ୯-୧୧, ୧୧-୫ ଓ ୧୧-୬ରେ ଜିତି ନେଇଛନ୍ତି। ଏହି ବିଜୟ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ଶରତ ଓ ଶ୍ରୀଜା ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅନ୍ୟପକ୍ଷରେ ଶରତ କମଲ ଆଜି ପୁରୁଷ ଏକକ ଟିଟିର ଫାଇନାଲ ଖେଳିବେ। ସେ ଇଂଲଣ୍ଡର ପଲ ଡ୍ରିଙ୍କହଲଙ୍କୁ ୧୧-୮, ୧୧-୮, ୮-୧୧, ୧୧-୭, ୯-୧୧ ଓ ୧୧-୮ରେ ହରାଇ ସ୍ୱର୍ଣ୍ଣ ପଦକ ଲଢ଼େଇରେ ପ୍ରବେଶ କରିଛନ୍ତି। ୨୦୦୬ରେ ଶରତ କମଲ ଶେଷଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିଲେ। ଏବେ ତାଙ୍କ ପାଖରେ ଆଉ ଥରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି। ଏହାପୂର୍ବରୁ ପୁରୁଷ ଡବଲ୍ସ ଫାଇନାଲରେ ଶରତ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ଇଂଲଣ୍ଡଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ୨୦୧୮ରେ ମଧ୍ୟ ଏହି ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।





