ମହାରାଷ୍ଟ୍ର ରାଜନୀତି: ଆରମ୍ଭରୁ ଦେଖା ଦେଲାଣି କନ୍ଦଳ !

ନୂଆଦିଲ୍ଲୀ : ମହାରାଷ୍ଟ୍ର ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଏବେ ଟିକେ ଥମିଛି । ମହାରାଷ୍ଟ୍ରକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଏହାରି ମଧ୍ୟରେ କ୍ୟାବିନେଟର ବିସ୍ତାର ହୋଇଛି । ୧୮ ଜଣ ମନ୍ତ୍ରୀ ଭାବେ ନେଇଛନ୍ତି । ତେବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି କନ୍ଦଳ ।

ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା କୁହାଯାଉଛି ।

ସୂତ୍ରାନୁସାରେ, କନ୍ଦଳର ମୁଖ୍ୟ କାରଣ ହେଲେ ସଞ୍ଜୟ ରାଥୋର ଓ ଅବ୍ଦୁଲ ସତାର । ଉଭୟ ସିନ୍ଦେଙ୍କ କ୍ୟାମ୍ପର ଥିବା ବେଳେ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ଯାହା ପାଇଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢିଛି । କାରଣ ସଞ୍ଜୟ ଓ ଅବ୍ଦୁଲ ପୂର୍ବରୁ ମନ୍ତ୍ରୀ ଥିଲେ । ସେମାନେ ବିଭିନ୍ନ ବିବାଦ ଓ ଦୁର୍ନୀତିରେ ଛନ୍ଦି ହୋଇ ରହିଛନ୍ତି । କାରଣ ସିନ୍ଦେ ଗୋଷ୍ଠୀଙ୍କୁ ମନ୍ତ୍ରୀ ଚୟନ ପାଇଁ ୪୦ ଦିନର ସମୟ ମିଳିଥିଲା । ଦୁଇ ଥର ବୈଠକ ମଧ୍ୟ ବସିଥିଲା ।

ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପାଇଁ ବଡ ଦାବିଦାର ଥିଲେ ସଞ୍ଜୟ ସିରସତ୍ । ତାଙ୍କୁ ଶେଷ ସମୟରେ ବାଦ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଅବ୍ଦୁଲଙ୍କୁ ଟିମରେ ନେଇଥିଲେ ସିନ୍ଦେ । କାରଣ କୁହାଯାଉଛି ଯେ, ଅବ୍ଦୁଲ ସିନ୍ଦେଙ୍କୁ ଧମକ ଦେଇଥିଲେ । ମନ୍ତ୍ରୀପଦ ନମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ । ଏପରିକି ତାଙ୍କ ବିରୋଧରେ ମିଛ ମାମଲା ଅଛି ବୋଲି ସେ ପ୍ରକାଶ କରିଥିଲେ ।

ଅନ୍ୟ ବିଦ୍ରୋହୀ ବିଧାୟକ ରାଠୋର କହିଥିଲେ ଯେ, ତାଙ୍କୁ ମନ୍ତ୍ରୀପଦ ଲୋଭ ଦେଖାଯାଇଥିଲା । ତେଣୁ ସେ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ । ରାଠୋରଙ୍କ ନାଁକୁ ବିରୋଧ କରିଥିଲା ବିଜେପି । କାରଣ ଜଣେ ଟିକଟକ୍ ଷ୍ଟାର୍ ଆତ୍ମହତ୍ୟା ମାମଲାରେ ରାଠୋରଙ୍କ ସଂପୃକ୍ତି ଥିବା ଅଭିଯୋଗ ହୁଏ । ଏହି କାରଣରୁ ମହାବିକାଶ ଅଘାଡି କ୍ୟାବିନେଟରୁ ସେ ତଡା ଖାଇଥିଲେ ।

ଏସବୁକୁ ନେଇ ମହାରାଷ୍ଟ୍ରର ଜଣେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ, ଅବ୍ଦୁଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି । ଅବ୍ଦୁଲଙ୍କୁ କ୍ୟାବିନେଟରେ ନନେବାକୁ ବିଜେପି ସିନ୍ଦେଙ୍କୁ ଅନୁରୋଧ କରିଥିଲା ।କିନ୍ତୁ ସେ ଚାପରେ ବାଧ୍ୟ ହୋଇଥିଲେ ।ବିଜେପିର ମଧ୍ୟ କିଛି ବିଧାୟକଙ୍କ ନାଁରେ ମାମଲା ରହିଛି । କିନ୍ତୁ ସେସବୁ ଖୁବ୍ ପୁରୁଣା ଅଟେ ।

ସୂତ୍ରାନୁସାରେ, ବିଜେପି ନେତା ସିତ୍ରା ଓ୍ୱାଗ୍ ରାଠୋରଙ୍କ ମନ୍ତ୍ରୀତ୍ୱକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ । ରାଠୋରଙ୍କ ବିରୋଧରେ ସେ ନିଜ ଲଢେଇ ଜାରି ରଖିବେ । ତେବେ ଏହି ବୟାନଠୁ ବିଜେପି ନିଜକୁ ଦୂରେଇଥିବା ବେଳେ ଏହା ବ୍ୟକ୍ତିଗତ ବୋଲି କହିଛି । ସେହିପରି ଆଉ କିଛି ବିଜେପି ନେତା ଦୀପକ କେଶରକରଙ୍କୁ କ୍ୟାବିନେଟରେ ସାମିଲ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ସେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ସମାଲୋଚନା କରିଥିଲେ । କିନ୍ତୁ ପରେ ନିଜ ବୟାନରୁ ଓହରି ଯାଇଥିଲେ ।

Related Posts