ମୁମ୍ବାଇ: ଆଜି ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ପ୍ରତି ରହିଛି ବିପଦ । ପରିବାରକୁ ମିଳିଛି ହତ୍ୟା ଧମକ । ୩ ଥର ଫୋନ୍‌ କରି ଧମକ ଦିଆଯାଇଛି। ଉକ୍ତ ଫୋନ୍‌ କଲ୍‌ ସବୁ ‘ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌’ର ‘ହର୍‌କିଷନଦାସ ହସ୍ପିଟାଲ୍‌’ ନମ୍ବରରେ ରିସିଭ୍‌ କରାଯାଇଥିଲା।

ଏ ସଂକ୍ରାନ୍ତରେ ଡି.ବି. ମାର୍ଗ ପୁଲିସ ଅଧିକ ସୂଚନା ପାଇବା ଲାଗି ଉଦ୍ୟମ କରୁଛି। ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ମୁମ୍ବାଇ ପୁଲିସ କହିଛି, ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯିବାକୁ ଆସିଥିବା ଫୋନ୍‌ କଲ୍‌ ବିଷୟରେ ‘ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌’ ଅଭିଯୋଗ ଦାଏର କରିଛି। ହସ୍ପିଟାଲ୍‌ରେ ୩ରୁ ଅଧିକ ହତ୍ୟା ଧମକ ଦିଆଯାଇଥିବା ଫୋନ୍‌ କଲ୍‌ ରିସିଭ୍‌ କରାଯାଇଛି।

ସଂଗୃହୀତ ସୂଚନା ଅନୁଯାୟୀ, ହତ୍ୟା ଧମକ ଆସିଥିବା ଫୋନ୍‌ର ନମ୍ବରକୁ ପୁଲିସ ଚିହ୍ନଟ କରିଛି। ଫୋନ୍‌ କଲ୍‌ କରିଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ବିକୃତି ଅଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସ୍ମରଣଯୋଗ୍ୟ, ଗତବର୍ଷ ମଧ୍ୟ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ‘ଆଣ୍ଟିଲିଆ’ ବାହାରେ ୨୦ଟି ବିସ୍ଫୋରକ ‘ଜେଲାଟିନ୍‌ ଷ୍ଟିକ୍‌’ ଏବଂ ହତ୍ୟା ଧମକ ଥିବା ଗୋଟାଏ ‘ସ୍କର୍ପିଓ’ କାର୍‌ ମଳିଥିଲା। ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯିବା କ୍ଷଣି ତଦନ୍ତ କରିବା ଲାଗି ମୁମ୍ବାଇର କ୍ରାଇମ୍‌ ଇଣ୍ଟେଲିଜନେସ୍‌ ୟୁନିଟ୍‌’ର ମୁଖ୍ୟ ସଚିନ୍‌ ୱାଜେଙ୍କ ସମେତ କେତେଜଣ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ଉକ୍ତ ‘ସ୍କର୍ପିଓ’ କାର୍‌ର ମାଲିକ ଥିଲେ ଥାନେର ମନସୁଖ ହିରେନ୍‌ ନାମରେ ଜଣେ ବ୍ୟବସାୟୀ। ରହସ୍ୟଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ପରେ ଉକ୍ତ ମାମଲା ‘ଏନ୍‌ଆଇଏ’କୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ଗାଡ଼ିଟି ସପ୍ତାହେ ପୂର୍ବରୁ ଚୋରି ହୋଇଯାଇଥିବା କଥା ମନସୁଖ କହିଥିଲେ ।