ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆଉ ମାତ୍ର ୨ ମାସରୁ କମ୍‌ ସମୟ ବାକି ରହିଛି । ଏହା ପୂର୍ବରୁ ଆଜି ଠାରୁ ଘରୋଇ ଜିମ୍ବାୱେ ବିପକ୍ଷରେ ଭାରତ ୩ ମ୍ୟାଚ୍ ବିଶିଷ୍ଠ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ରହିବ ଅଧିନାୟକ କେ.ଏଲ୍‌. ରାହୁଲଙ୍କ ଉପରେ।ଗତ ମେ’ରେ ଆଇପିଏଲ୍‌ ଏଲମିନେଟର ପ​ରେ ଏହା ରାହୁଲଙ୍କ ପ୍ରଥମ ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍‌ ହେବ। ଅସ୍ତ୍ରୋପଚାର ଓ କୋଭିଡ୍‌ ସଂକ୍ରମଣ ପରେ ରାହୁଲ ଭାରତୀୟ ଦଳକୁ ଫେରିଛନ୍ତି ଏବଂ ତାଙ୍କୁ ଦଳର ନେତୃତ୍ବ ପ୍ରଦାନ କରାଯାଇଛି। ତେଣୁ ରାହୁଲଙ୍କ ଫର୍ମ ଓ ଫିଟ୍‌ନେସ ଉପରେ ସମସ୍ତଙ୍କ ନଜର ରହିବ। କାରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରାହୁଲଙ୍କ ପ୍ରମୁଖ ଭୂମିକା ରହିବ। ସୂଚନାଯୋଗ୍ୟ; ୨୦୧୬ରେ ଏହି ଗ୍ରାଉଣ୍ଡରେ ରାହୁଲ ଜୀବନର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ।

ରାହୁଲଙ୍କ ପରି ଦୀର୍ଘ ଦିନ ଆହତ ଥାଇ ଦଳକୁ ଫେରିଥିବା ପେସ୍‌ ବୋଲର ଦୀପକ ଚହରଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଟ୍ବେଣ୍ଟି୨୦ ବିଶ୍ବକପ୍‌ ଯୋଜନାରେ ଚହର ଥିବା ଯୋଗୁଁ ତାଙ୍କ ବୋଲିଂରେ ପୂର୍ବପରି ଧାର ରହିଛି କି ନାହିଁ; ତାହା ମଧ୍ୟ ଦେଖିବାକୁ ପଡ଼ିବ। ଏସିଆ କପ୍ ଟ୍ବେଣ୍ଟି୨୦ ପାଇଁ ଚହରଙ୍କୁ ଅତିରିକ୍ତ ଖେଳାଳି ତାଲିକାରେ ରଖାଯାଇଛି। ଅନ୍ୟପକ୍ଷରେ ୨ ମାସ ତଳେ ପ୍ରଶିକ୍ଷକ ଦାୟିତ୍ବ ପାଇବା ପରେ ଡେଭ୍ ହଟନ୍‌ଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବ ଏହି ଶୃଙ୍ଖଳା। ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମ୍‌ରାଙ୍କ ପରି ଖେଳାଳି ଏହି ଶୃଙ୍ଖଳାରେ ନ ଥିଲେ ମଧ୍ୟ ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ବୋଲି ହଟନ୍ ଜାଣିଛନ୍ତି। ଜିମ୍ବାୱେ ଦଳରେ ମଧ୍ୟ ୩ ରୁ ୪ ଜଣ ପ୍ରମୁଖ ଖେଳାଳି ନାହାନ୍ତି। ବାଂଲାଦେଶ ବିପକ୍ଷରେ ଉଭୟ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଥିବା ଘରୋଇ ଜିମ୍ବାୱେ ଦଳ ଭାରତକୁ ଚକିତ କରିବା ଲକ୍ଷ୍ୟରେ ରହିଛି। ପାକିସ୍ତାନରେ ଜନ୍ମିତ ସିକନ୍ଦର ରାଜା ବାଂଲାଦେଶ ବିପକ୍ଷରେ ୨ଟି ଇନିଂସରେ ଅପରାଜିତ ରହି ୧୩୫ ଓ ୧୧୭ ରନ୍‌ କରିଥିଲେ। ଉକ୍ତ ଶୃଙ୍ଖଳାରେ ଇନୋସେଣ୍ଟ କାଇଆ ଓ ଅଧିନାୟକ ରେଜିସ୍ ଚାକାଭା ମଧ୍ୟ ଶତକ ମାରିଥିଲେ।

ମୋଟଉପରେ ଦକ୍ଷତା ଦୃଷ୍ଟିକୋଣରୁ ଭାରତ ଓ ଜିମ୍ବାୱେ ଦଳ ମଧ୍ୟରେ ବହୁତ ତଫାତ୍ ରହିଛି। ତେଣୁ ଭାରତ ଶୃଙ୍ଖଳା ପୋଛି ନେବା ପାଇଁ ବଡ଼ ଦାବିଦାର ରହିଛି। ଉଭୟ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ୯ଟି ଦିନିକିଆ ଶୃଙ୍ଖଳାରୁ ଜିମ୍ବାୱେ ଗୋଟିଏ ଜିତିଥିବା ବେଳେ ଭାରତ ୮ଟି ଜିତିଛି। ଏଥିରୁ ସ୍ପଷ୍ଟ ଯେ ଉଭୟ ଦଳଙ୍କ ମଧ୍ୟରେ କେତେ ଫରକ ରହିଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ଶୁବ୍‌ମାନ ଗିଲ୍‌ଙ୍କୁ ପୁଣି ଓପନ୍‌ କରିବାର ସୁଯୋଗ ମିଳିପାରେ। ଫଳରେ ରାହୁଲ ୩ନଂ ସ୍ଥାନରେ ଖେଳିପାରନ୍ତି। ଋତୁରାଜ ଗାଏକ୍‌ୱାଡ୍‌ ଆଉ ଏକ ସୁଯୋଗ ପାଇବା ନିଶ୍ଚିତ ହୋଇଥିବା ବେଳେ ସଞ୍ଜୁ ସାମ୍‌ସନ ଓ ଈଶାନ୍ କିଷନଙ୍କ ମଧ୍ୟରୁ ଜଣେ ଖେଳିବେ। ଦୀପକ ହୁଡାଙ୍କୁ ପୁଣି ତାଙ୍କୁ ଦକ୍ଷତା ଦେଖାଇବାର ସୁଯୋଗ ମିଳିଥିବା ବେଳେ ଏହାର ଫାଇଦା ଉଠାଇବାକୁ ଚାହିଁବେ। ଦୁଇ ସ୍ପିନର ଭାବେ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଖେଳିବେ। ୩ ପେସ୍‌ ବୋଲର ସ୍ଥାନ ପାଇଁ ଦଳରେ ବହୁତ ପ୍ରତିଦ୍ବନ୍ଦ୍ବିତା ରହିଛି। ଏଠାରେ ଗତ ୧୬ଟି ଦିନିକିଆରୁ ଭାରତ ୧୪ଟି ଓ ଜିମ୍ବାୱେ ୨ଟି ଜିତିଛନ୍ତି। ହରାରେ ପିଚ୍‌ରେ ଅଧିକ ରନ୍‌ ହେବ।