ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର ଲଞ୍ଚ ହେବ ‘୫ଜି’ ସେବା । ଏନେଇ ଶୁଭାରମ୍ଭ ପାଇଁ ପ୍ରସ୍ତୁତି କରିବା ଲାଗି ଆଜି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କୁ କହିଛନ୍ତି। ଏଥିପାଇଁ ‘ସ୍ପେକ୍ଟ୍ରମ୍ ଆସାଇନ୍ମେଣ୍ଟ୍ ଲେଟର୍’ ଜାରି ହୋଇସାରିଥିବା କଥା ମଧ୍ୟ ସେ ଟୁଇଟ୍ କରି କହିଛନ୍ତି।
ଅବିଳମ୍ବେ ଭାରତରେ ‘୫ଜି’ ସେବା ପ୍ରଚଳନ କରାଯିବ। ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଦେଇଥିବା ଉଦ୍ବୋଧନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆଶା କରାଯାଉଥିବା ସମୟ ପୂର୍ବରୁ ‘୫ଜି’ ସେବା ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ ‘୪ଜି’ ବେଗ ଅପେକ୍ଷା ‘୫ଜି’ ବେଗ ୧୦ଗୁଣା କ୍ଷିପ୍ର ହେବ।
ତେଣୁ, ଔପଚାରିକ ଭାବେ ଦେଶରେ ‘୫ଜି’ ସେବା ଘୋଷଣା କରାଯିବା ଆଗରୁ ‘ରିଲାଏନ୍ସ୍ ଜିଓ’ ଏବଂ ‘ଭିଆଇ’ ଆଦି ଟେଲିକମ୍ ଅପରେଟର୍ମାନେ ‘୫ଜି’ ସମ୍ବନ୍ଧୀୟ ଉତ୍ପାଦ ବିକଶିତ କରିବା ଲାଗି ଇଞ୍ଜିନିୟର୍ମାନଙ୍କୁ ନିଯୁକ୍ତି ଦେବାକୁ ତତ୍ପର ହୋଇ ଉଠିଛନ୍ତି।
ଚଳିତ ମାସର ଶେଷ ଆଡ଼କୁ ଔପଚାରିକ ଘୋଷଣା କରାଯିବା ପରେ ‘ଏୟାର୍ଟେଲ୍’ ଓ ‘ଜିଓ’ ନିଜ ନିଜ ‘୫ଜି’ ସେବାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବେ ବୋଲି ଆଶା କରାଯାଉଛି।
ଭାରତରେ ‘୫ଜି’ ଶୁଭାରମ୍ଭ ‘ଟାଇମ୍ଲାଇନ୍’ ସଂକ୍ରାନ୍ତରେ ଟେଲିକମ୍ ଅପରେଟର୍ମାନେ ସବିଶେଷ ତଥ୍ୟ ଦେଇ ନାହାନ୍ତି।
