ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଜାରି ପ୍ରବଳ ବର୍ଷାକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସତର୍କ ହୋଇଛି । ୨ ଦିନ ପାଇଁ ବାଲେଶ୍ୱର ଜିଲ୍ଲାର ସମସ୍ତ ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀ ବନ୍ଦ ରଖାଯାଇଛି । ଜିଲ୍ଲାର ଚାନ୍ଦିପୁର, ତାଳସାରୀ, କଷାଫଳ, ଡୋଗରା ତଥା ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟଟନସ୍ଥଳୀ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଏହି ସବୁ ସ୍ଥାନକୁ ଯିବାକୁ ବାରଣ କରାଯାଇଛି ।ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରିରହିଛି । ଏହାକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ତେଣୁ ବର୍ତ୍ତମାନ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ବଙ୍ଗୋପ ସାଗରରେ ସୃଷ୍ଟ ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇ ଆଜି ସନ୍ଧିରେ ସ୍ଥଳ ଭାଗ ଦେଇ ଗତି କରିବ। ତେବେ ଏହି ଗଭୀର ଅବପାତ ବାଲେଶ୍ଵରରେ ସ୍ଥଳ ଭାଗ ଛୁଇଁ ଗତି କରିବା ନେଇ ଅନୁମାନ କରାଯାଉଛି। ସେଥିପାଇଁ ବାଲେଶ୍ଵରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି।