ବ୍ରହ୍ମପୁର : MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ଦୀର୍ଘ ୮ ଦିନ ପରେ ଯୁବକଙ୍କ ପେଟରୁ ଷ୍ଟିଲ ଗ୍ଲାସ୍ ବାହାରକୁ ବାହାରିଛି । ମଦ୍ୟପ ଅବସ୍ଥାରେ ସାଙ୍ଗ ମାନେ ଜଣେ ୪୫ବର୍ଷୀୟ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍‌ ଗ୍ଲାସ୍‌ ପୁରାଇ ଦେଇଥିବା ବେଳେ, ତାହା ୮ ଦିନ ଧରି ଗ୍ଲାସ୍‌ ମଳଦ୍ୱାରରେ ରହିବା ପରେ ପେଟକୁ ପଳାଇଥିଲା ।

ଏମ୍‌କେସିଜିରେ ସଂପୃକ୍ତ ଯୁବକଙ୍କ ଅସ୍ତ୍ରୋପଚାର କରାଯାଇ ଷ୍ଟିଲ୍‌ ଗ୍ଲାସ୍‌ ପେଟରୁ ବାହାର କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

ତେବେ ମଦ୍ୟପ ଅବସ୍ଥାରେ ସାଙ୍ଗ ମାନେ ଗ୍ଲାସ୍‌ ପୁରାଇଦେବା ଏକ ଅପରାଧ । ଏନେଇ କୌଣସି କେସ୍‌ ମଧ୍ୟ ହୋଇନଥିବା ଜଣାପଡିଛି । ଏହି ଯୁବକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ ବାଲିପଦର ଅଞ୍ଚଳର । ସେ ସୁରଟରେ ରହୁଥିଲେ । ଦୁଇ ସପ୍ତାହ ତଳେ ସୁରଟରେ ସାଙ୍ଗମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଗ୍ଲାସ୍‌ ପୂରାଇ ଦେଇଥିଲେ । ଗ୍ଲାସ୍‌ ଆଉ ବାହାରିନଥିଲା । ଦୁଇଦିନ କଷ୍ଟ ହୋଇଥିଲା । ପରେ ସେ ବାଲିପଦର ଘରକୁ ଫେରିଥିଲେ । ଲଜ୍ଜିତ ହୋଇ ଏ ସମ୍ପର୍କରେ କାହାକୁ କିଛି କହିନଥିଲେ । ପରେ ପେଟ ଫୁଲିଯିବା ସହ ଯନ୍ତ୍ରଣା ହୋଇଥିଲା ।

ଏହାପରେ ସେ ଗତ ୧୯ତାରିଖରେ ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲେ । ତାଙ୍କ ମଳଦ୍ୱାରରେ ଗ୍ଲାସ୍‌ ରହିଥିବାରୁ ପେଟ କାଟୁଥିବା ଡାକ୍ତରଙ୍କୁ କହିଥିଲେ । ମଳଦ୍ୱାର ରାସ୍ତାରେ ଗ୍ଲାସ୍‌ ବାହାର କରିବାକୁ ଡାକ୍ତରମାନେ ଉଦ୍ୟମ କରିଥିଲେ । କିନ୍ତୁ ୮ଦିନ ହୋଇଯାଇଥିବାରୁ ଗ୍ଲାସ୍‌ଟି ଭିତରକୁ ପଶି ଯାଇଥିଲା । ମଳଦ୍ୱାର ରାସ୍ତାରେ ଗ୍ଲାସ୍‌ ବାହାର କରିବାରେ ବିଫଳ ହେବାରୁ ଅସ୍ତ୍ରୋପଚାର କରିବାକୁ କହିଥିଲେ । ସେହିଦିନ ରାତିରେ ହିଁ ଅସ୍ତ୍ରୋପଚାର କରାଯାଇଥିଲା । ରାତି ୮ଟାରେ ଅସ୍ତ୍ରୋପଚାର ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପେଟରୁ ମଧ୍ୟ ଗ୍ଲାସ୍‌ ବାହାର କରିବାକୁ ଜଟିଳତା ହୋଇଥିଲା । ପରେ ଖାଦ୍ୟନଳୀ କଟାଯାଇ ଗ୍ଲାସ୍‌ ବାହାର କରାଯାଇଥିଲା ।