ବ୍ରହ୍ମପୁରର ଏମ୍‌କେସିଜି ହସ୍ପିଟାଲରେ ଅଗ୍ନିକାଣ୍ଡ, ସୁରକ୍ଷିତ ସ୍ଥାନାନ୍ତରିତ ହେଲେ ସମସ୍ତ ରୋଗୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଆଜି ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏଠାରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ଆଜି ମଧ୍ୟାହ୍ନ ସମୟରେ ଏମକେସିଜି ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡର ପଞ୍ଚମ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।ଏହାଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ସହ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ଅଣାଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରି ସାରିଛନ୍ତି। ଏବେ କେବଳ ଧୂଆଁ ବାହାରୁଥିବାର କହିଛନ୍ତି ଅଗ୍ନିଶମ ଅଧିକାରୀ।

ଏହି ବିଲଡିଂରେ ପ୍ଲାଷ୍ଟିକ ସର୍ଜରୀ ରୋଗୀ ରହୁଥିବା ବେଳେ ଡାଇଲସିସ ୱାର୍ଡ ମଧ୍ୟ ରହିଛି। ତେଣୁ ଏଠାରେ ବହୁ ଗୁରୁତର ରୋଗୀ ଚିକିତ୍ସିତ ହେଉଥିଲେ। ହେଲେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିବା କୁହାଯାଇଛି। ତେବେ ନିଆଁ କିପରି ଲାଗିଲା ତଥା ଏହା ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ କିଛି ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ଏନେଇ ଅଧିକାରୀଜଣକ କହିଛନ୍ତି, ବ୍ରହ୍ମପୁର ଅଗ୍ନିଶମ ବିଭାଗର ୨ ୟୁନିଟ, ଏମକେସିଜିରେ ଥିବା ଅଗ୍ନିଶମ କାର୍ଯ୍ୟାଳୟର ଗୋଟିଏ ୟୁନିଟ ନିଆଁ ଲିଭା କାର୍ଯ୍ୟାରେ ନିୟୋଜିତ ହୋଇଛନ୍ତି। ପ୍ରାୟ ୨୫ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିବା ବେଳେ ଏଥିନିମନ୍ତେ ସେମାନଙ୍କୁ ପ୍ରାୟ ୧୦ ମିନିଟ୍‌ ଲାଗିଥିଲା। ଓଟି-୧ର ସିଲିଂରେ ସର୍ଟସର୍କିଟ ହୋଇ ନିଆଁ ଲାଗି ତାହା ପଞ୍ଚମ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଛି। ତେବେ କିପରି ଓ କେଉଁଠି ସର୍ଟସର୍କିଟ ହୋଇଛି ତାହା ସଠିକ୍‌ ଭାବେ ଜଣାପଡ଼ିନି।

Related Posts