ଏମକେସିଜି ସୁପର ସ୍ପେଶାଲିଟି କୋଠାରେ ବାରମ୍ବାର ସିଲିଂ ଖସିବା ଘଟଣା; ସ୍ଥିତି ଅନୁଧ୍ୟାନ କଲେ ସ୍ଵତନ୍ତ୍ର ଟିମ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁରର ଏମକେସିଜି ସୁପର ସ୍ପେଶାଲିଟି କୋଠାରେ ବାରମ୍ବାର ସିଲିଂ ଖଣ୍ତ ଖସିବା ପରେ ଆଜି ଏକ ସ୍ୱତନ୍ତ୍ର ଟିମ ଏହାର ଅନୁଧ୍ୟାନ କରିଛି । ପରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ଟିମ ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଏନେଇ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ତେବେ ସୋମବାର ସୁଦ୍ଧା ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହି ବୈଠକରେ ହସ୍ପିଟାଲରେ ଥିବା ଅବ୍ୟବସ୍ଥା ସମ୍ପର୍କରେ ପଚାରିଥିଲେ । ଠିକା ସଂସ୍ଥା କୋଠା ନିର୍ମାଣ ପରେ ବିଧିବଦ୍ଧ ଭାବେ ହସ୍ତାନ୍ତର କରିନଥିବାରୁ ବିଧାୟକ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ।

ତେବେ ସୁପର ସ୍ପେଶାଲିଟି କୋଠାଟି ୨୦୧୯ରୁ ନିର୍ମାଣ କାର୍ଯ୍ୟ ସରିଥିବାବେଳେ କୋଭିଡ ଦ୍ଵିତୀୟ ଲହର ସମୟରେ ସେବାରେ ଲାଗିଥିଲା । ଗତ ଏପ୍ରିଲ ମାସରୁ ଏଠାରେ ୮ଟି ସୁପର ସ୍ପେଶାଲିଟି ୱାର୍ଡ କାର୍ଯ୍ୟକ୍ଷମ ହୋଇଛି । ଆରମ୍ଭ ପରଠୁ ଏଠାରେ କେତେବେଳେ ନିଆଁ ଲାଗୁଛି ତ ଆଉ କେତେବେଳେ ସିଲିଂ ଖସୁଛି। ଏହାକୁ ନେଇ ରୋଗୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

Related Posts